Latest Odisha News

BREAKING NEWS

ଭାଷା ଭାଗବତ : ତ୍ରୁଟି ସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଜାଣିପାରିଲେ ତ୍ରୁଟିମାନ
କଲେ ତୁରଂତ ସଂଶୋଧନ
ଦିଶିବନାହିଁ ‘ ଶଂସୋଧନ ‘
ବଢ଼ିବ ସ୍ବଭାଷା ସମ୍ମାନ

ଥରେ କି ଦୁଇ ଥର ତ୍ରୁଟି
କରିବା ପରେ ମନେ ଘାଂଟି
କରିଲେ ଶୀଘ୍ର ସଂଶୋଧନ
ସ୍ବଲେଖା ହୁଏ ତ୍ରୁଟିହୀନ

କେବଳ ଅଭ୍ୟାସର ବଳେ
ଅଧିକ ଲେଖାଲେଖି କଲେ
ତ୍ରୁଟି ଘଟଇ ବାରଂବାର
ହୋଇପାରେନି ପ୍ରତିକାର

ବେଦି, ହାନି ଓ ଦାବି, ମୁନି
ଈ-କାରଯୁକ୍ତ ହୁଅଂତିନି
ଏହା ପାରିଲେ ବୁଝି, ଜାଣି
ଆଉ ଈ-କାର ଲେଖିବାନି

ତ୍ରୁଟି ହୋଇଛି ବୋଲି ଜାଣି
ଲେଖିଲେ ସେହିପରି ପୁଣି
ଭାଷାରେ ତ୍ରୁଟି ଥାଏ ରହି
ତାହା ହଟାଂତିନାହିଁ କେହି

ଏପରି ମନୋଭାବ ପୋଷି
ଯିଏ ବି ହୋଇଥାଂତି ଖୁସୀ
ତାଂକୁ କି କହିବା ସାହସୀ
ଅଥବା ସ୍ବଭାଷା ବିନାଶୀ ?

ବଢ଼ିଲେ ତ୍ରୁଟି ପ୍ରଦୂଷଣ
ଭାଷୀଏ ପାଆଂତି କଷଣ
ଭାଷାର ମାନ ହୁଏ ନ୍ୟୂନ
ତେଣୁ କରିବା ସଂଶୋଧନ

ଲେଖିବା ବେଳେ ସାବଧାନ
ରହିଲେ ଭାଷାର ସମ୍ମାନ
କ୍ରମଶଃ ଯାଉଥାଏ ବଢ଼ି
ଉଚ୍ଚ ସ୍ତରକୁ ପାରେ ଚଢ଼ି

 

Comments are closed.