ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ନିଜକୁ କରି ଆବିଷ୍କାର
ହୋଇପାରିଲେ ଅଗ୍ରସର
ସୁଂଦର ଲାଗେ ଏ ସଂସାର
ଜୀବନ ହୁଏ ମନୋହର
ନିଜର ଅନନ୍ୟତା ଜଗି
ହୋଇଲେ ଜୀବନାନୁରାଗୀ
ଅଲୋଡ଼ା ଅଯଥା ସଂଘର୍ଷ
ସୁଖରେ ବିତେ ମାସ, ବର୍ଷ
‘ ମୁ କିଏ? ‘ ପ୍ରଶ୍ନର ଉତ୍ତର
ନିରବେ ଖୋଜି ବାରଂବାର
ଦେଖିଲେ ନିଜର ଅଂତର
ମନରୁ ଶଂକା ହୁଏ ଦୂର
ଡର ଓ ଦ୍ବିଧା ଭରା ମନ
କରିଲେ ବେଶି ଆଂଦୋଳନ
ତାହାକୁ ତୁରଂତ ଦମନ
କଲେ ଜୀବନ ସ୍ବୟଂପୂର୍ଣ
ଅନ୍ୟାନ୍ୟ ଲୋକ ବି ଅନନ୍ୟ
ତେଣୁ କାହାକୁ ଅପମାନ
ଦେବାର କିଛି ଅଧିକାର
ନ ଥାଏ କେବେ ତ କାହାର
ନିଜ କାର୍ଯରେ ରହି ମଜ୍ଜି
ନିଜ ପ୍ରତିଭା ଚିହ୍ନି, ବୁଝି
କରିଲେ ଶବ୍ଦର ସାଧନା
କିଛି ବି ହୁଏନାହିଁ ଊଣା
ଭାଷା ଦେଇଛି ଯେଉଁ ଶକ୍ତି
ତାହା ନିମଂତେ ଅନୁରକ୍ତି
ଦେଖାଇପାରେ ଯେଉଁ ବ୍ୟକ୍ତି
ସିଏ ହିଁ ପାଏ ସୁଖ, ଶାଂତି
ନିଜକୁ ନ କରି ଉପେକ୍ଷା
ଅନୁଭବରୁ ନେଇ ଶିକ୍ଷା
କରିଲେ ନିଜକୁ ସମୀକ୍ଷା
ସହଜ ସମସ୍ତ ପରୀକ୍ଷା
ନିଜ ପାଖକୁ ଆସି ଫେରି
ନ କରି କାହାକୁ ଗୁହାରି
ହୋଇଲେ ନିଜେ ସ୍ବାବଲଂବୀ
କୃତିର ଧାରା ଯାଏ ଲଂବି
ବ୍ୟକ୍ତି ଆପଣା ପରିଚୟ
ଗଢ଼ିବା ପାଇଁ ଦେଲେ ଲୟ
ଉଭୟ ମନ ଓ ହୃଦୟ
ରହଂତି ସର୍ବଦା ସକ୍ରିୟ
ନିଜକୁ କରିଲେ ବିଶ୍ବାସ
ସତରେ ଅବଶିଷ୍ଟ ବିଶ୍ବ
ବ୍ୟକ୍ତିକୁ କରଇ ସ୍ବୀକାର
ତାହା ହିଁ ଶ୍ରେଷ୍ଠ ପୁରସ୍କାର
ନିଜର ଗୁଣାଗୁଣ ଜାଣି
ନିଜର ଭଲ, ମଂଦ ଚିହ୍ନି
ହୋଇଲେ ସାଧନାତତ୍ପର
ସଂସାର ହୁଏ ଶାଂତିଘର
Comments are closed.