ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଯେମିତି ଲୋକଂକୁ ଲାଗଇ
ତାକୁ ବାସ୍ତବ ମାନିନେଇ
କରିଲେ ଜୀବନ ଯାପନ
ଦୁଃଖଭରା ହୁଅଇ ମନ
ଇଂଦ୍ରିୟାଶ୍ରିତ ହେଲେ କାୟା
ଜଣା ପଡ଼ଇ ଯେତେ ଯାହା
ତହିଁର ଗୁଣ ବା ଦୁର୍ଗୁଣ
କରିହୁଏନି ଅନୁମାନ
ଜିଭକୁ ଲାଗିଲେ ସୁଆଦ
ପେଟକୁ କେତେ ନିରାପଦ
ଏ କଥା ବୁଝି ଓ ବିଚାରି
ହୋଇବା ଭୋଜନ ଆହାରୀ
ଭାଷାରେ ଯାହା ଲେଖାଯାଏ
ସବୁ ସାହିତ୍ୟ କୃତି ନୁହେ
ପାଠକ ଯଦି ପାରେ ବୁଝି
ଉତ୍ତମ ପାଠ ଆଣେ ଖୋଜି
ପେଟ ଓ ମୁଂଡ ଦୁଇ ସ୍ଥାନ
ମଧ୍ୟରେ ବେଶି ବ୍ୟବଧାନ
ରହିଲେ ଭୋଜନ, ପଠନ
ଉଭୟ ହୁଏ ସାରହୀନ
ଦେହ ଓ ମନକୁ ସୁଖାଦ୍ୟ
ଯୋଗାଇ ହେଲେ ନିରାପଦ
ସ୍ବଇଚ୍ଛା ହୁଏ ଫଳଦାୟୀ
ଚଳିବା ତାହା ଅନୁଯାୟୀ
ନିଜେ ହିଁ ନିଜକୁ ଗୁରୁତ୍ୱ
ଦେବାକୁ ସ୍ବେଚ୍ଛାରେ ଦାୟିତ୍ୱ
ବହନ କରେ ଯେଉଁ ବ୍ୟକ୍ତି
ବଢ଼େ ତାହାର ପ୍ରାଣଶକ୍ତି
ନିଜେ ନିୟମ ପ୍ରଣୟନ
କରି ଯେ ହୁଏ କ୍ରିୟମାଣ
କେବେ ହୁଏନି ମ୍ରିୟମାଣ
ଶାଂତିରେ ବିତାଏ ଜୀବନ
ଭାବନାକୁ କରିଲେ ଭାଷା
ପୂରଣ ହୁଏ ବହୁ ଆଶା
ଭାଷାକୁ କରିଲେ ଆଧାର
ହୁଏ ତା ଭାବନାର ଘର
ମନକୁ କଲେ ପରିଚ୍ଛନ୍ନ
ସାହିତ୍ୟ କୃତି ପ୍ରଣୟନ
ହୁଏ ବସ୍ତୁତଃ ସ୍ବାଭାବିକ
ବୁଝଂତୁ ସ୍ବଭାଷୀ ଲେଖକ
Comments are closed.