ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କାଳ ସହିତ ଦେଇ ତାଳ
ଯଦି ନ ଚାଲେ ସଂଘ, ଦଳ
ତାହାର ପ୍ରୟାସର ଫଳ
ଲୋକଂକୁ କରେ ଟଳମଳ
ମନେ ଜଳିଲେ ଚିଂତାନଳ
ଦିଶିଲେ ସୁଦ୍ଧା ସମୁଜ୍ଜ୍ବଳ
ତହିଁର ଉତ୍ତାପ ପ୍ରବଳ
ଆପେ ପାଲଟେ ମହାକାଳ
ଯେ ଶୁଣେନାହିଁ ଭିନ୍ନ ମତ
କେହି ବି ତାହାର ସହିତ
ନ ହେଲେ କେବେ ବି ସଂପୃକ୍ତ
ହେବ ବିଶ୍ବର ସର୍ବହିତ
ଉଗ୍ର ଭାଷଣ, କଟୁ କଥା
ସୃଷ୍ଟି କରିଲେ ଅବ୍ୟବସ୍ଥା
ବିବେକାଶ୍ରୟୀ ଜଣେ ବ୍ୟକ୍ତି
ଧୈର୍ଯକୁ କରେ ନିଜ ଶକ୍ତି
ମତାଂଧ ଲୋକର ବଚନ
ପୂର୍ବାପର ସଂପର୍କହୀନ
ଏହାକୁ କରିଲେ ଉପେକ୍ଷା
ସଂସାର ପାଇପାରେ ରକ୍ଷା
ଭାଷା ହୋଇଲେ ଯୁକ୍ତିଯୁକ୍ତ
ଉତ୍ତପ୍ତ ହୁଏନାହିଁ ରକ୍ତ
ବକ୍ତା ଓ ଶ୍ରୋତା ସମୁଦାୟ
ମନରେ ରହେନାହିଁ ଭୟ
ନିର୍ଭୟ ଭାବ, ସ୍ପଷ୍ଟ ଭାଷା
ଉପରେ ଲୋକଂକ ଭରସା
ଥିଲା ଓ ରହିଅଛି ଏବେ
ବୁଝି ପାରୁନାହାଂତି ସର୍ବେ
ବହୁତା କରିଲେ ସ୍ବୀକାର
ଏକତା ନୁହେ ଦରକାର
ପରସ୍ପରକୁ ଦେଇ ମାନ
ବିଶ୍ବରେ ଚଳୁଛି ଜୀବନ
ଜୀବନଠାରୁ ବେଶି କିଛି
କେବେ କି କାହାକୁ ମିଳିଛି ?
ଅଜଣା ଏହାର ଉତ୍ତର
ମିଛେ ବୋଲାଉଁ ବାକ୍ୟବୀର
Comments are closed.