Latest Odisha News

ଭାଷା ଭାଗବତ : ବକ୍ତାର ଭଂଗିମା ଓ ଠାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ପୁନର୍ଲିଖନକାରୀ ଜଣେ
ନିଜକୁ ଚିଂତାଶୀଳ ମଣେ
ଘଷରା ଭାବନା ପ୍ରକାଶ
କରିଲେ ଲଭଇ ଉଲ୍ଲାସ

ଅନ୍ୟର ଉକ୍ତି ସଂକଳନ
କରି ସେ ଲେଖେ ପ୍ରତି ଦିନ
ସବୁ ନିଜସ୍ବ ଚିଂତା ଶୂନ୍ୟ
କେବଳ ଚର୍ବିତ ଚର୍ବଣ

ଅନୁଭବରୁ କିଛି ଲେଖି
ଯିଏ ପାରିନି କେବେ ଶିଖି
ତାହାର ଉଚ୍ଚାରିତ ବାଣୀ
ହୁଅଇ କଳ୍ପିତ କାହାଣୀ

କେବଳ ଭଂଗିମା ଓ ଠାଣି
ବଳରେ ମୂଢ଼ ମନ ଜିଣି
ବୋଲାଇଥାଏ ବିଜ୍ଞ ବକ୍ତା
କେବଳ ଦିଏ ସେ ବକ୍ତୃତା

ଭାଷଣ ହୋଇଲେ ସମାପ୍ତ
ତତ୍କାଳ ହୁଏ ଅଂତର୍ହିତ
କରିଜାଣେନି ବାର୍ତାଳାପ
ପ୍ରାୟତଃ ଶୁଣାଏ ସଂଳାପ

ବକ୍ତା ଅଟେ କି ଅଭିନେତା
ବୁଝିପାରେନି ଶ୍ରୋତା ମଥା
ତେବେ ବି ସର୍ବେ ମାରି ତାଳି
ଶୁଣାଂତି ଉତ୍କଟ ବୋବାଳି

ବିଭିନ୍ନ ସ୍ଥାନ ବୁଲି ବୁଲି
ବାଗ୍ମୀ ରୂପେ ସେ ଯାଏ ଚଳି
କଂଠସ୍ବରର ଜାଦୁଗରି
ଶୁଣାଇ ପାରେ ବଶ କରି

ଯେଉଁଠି ହୁଏ ଯାହା ସଭା
ସ୍ବଦେହେ ହୋଇ ସେଠି ଉଭା
ଶୁଣାଏ ଜଣାଶୁଣା କଥା
ଏପରି ହେଲାଣି ଅବସ୍ଥା

ଘଂଟାଏ କହିବାର ପାଇଁ
ସୁଦୂର ସହରକୁ ଯାଇ
ବ୍ୟୟ କରେ ଅମୂଲ୍ୟ ବେଳ
ଚଳାଇରଖେ ଶବ୍ଦଖେଳ

Comments are closed.