Latest Odisha News

BREAKING NEWS

ଭାଷା ଭାଗବତ : ପରିବର୍ତନ ନିରଂତର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ପରିବର୍ତନ ନିରଂତର
ଘଟୁଛି, ତେଣୁ ଏ ସଂସାର
ହୋଇଛି ପ୍ରାଣୀଂକର ଘର
କରି ହୁଏନି ଅସ୍ବୀକାର

ଭାଷା, ସଂସ୍କୃତି, ବିଧି, ପ୍ରଥା
କେଉଁଠି ନାହିଁ ସ୍ଥିରାବସ୍ଥା
ବିଭିନ୍ନ ଅଦଳ ବଦଳ
ପ୍ରକ୍ରିୟା ସକ୍ରିୟ ସଚଳ

ଘୂରୁଥିବା ବିଶ୍ବରେ ରହି
ଜନ୍ମତଃ ନରଦେହ ବୋହି
କିପରି ବୁଝି ପାରୁଁନାହିଁ
କିଛି ବି ନୁହେ ଚିରସ୍ଥାୟୀ

ଭାଷାର ଧ୍ବନି ଆଉ ରୂପ
ନୁହଂତି ଯେଣୁ ଜ୍ଞାନ-ସ୍ତୂପ
ପରିବର୍ତିତ ନିରଂତର
ହେବା ହିଁ ସ୍ବଭାବ ଭାଷାର

ହେଲେ ଧାରଣା ବଶବର୍ତୀ
ହୁଏ ବ୍ୟକ୍ତି ଓ ଜାତିର କ୍ଷତି
ସ୍ଥିର, ଅଚଳ ହେଲେ ମତି
ହୋଇପାରେନି ଅଗ୍ରଗତି

ଯେଉଁ କାଳ ଗଲାଣି ବିତି
ମନରେ ପୋଷି ତା’ର ସ୍ମୃତି
ଗାଇଲେ ପ୍ରଶସ୍ତି ଓ ସ୍ତୁତି
ଘଟେନି କୌଣସି ଉନ୍ନତି

ନିଷ୍କ୍ରିୟ ହୁଏ ଯଦି ମଥା
ଶୁଣିଲେ କିଛି ନୂଆ କଥା
ଭାବେ ଘଟିବ ଅବ୍ୟବସ୍ଥା
ମଥାକୁ ପଶଇ ଦୁଶ୍ଚିଂତା

କାଳ ସହିତ ତାଳ ଦେଇ
ପାରିଲେ ନିଜକୁ ଚଳାଇ
ହୁଅଇ ବ୍ୟକ୍ତିତ୍ବ ବିକାଶ
ହୁଏନି ଭାଷା ସତ୍ତାନାଶ

Comments are closed.