Latest Odisha News

ଭାଷା ଭାଗବତ : ନିଜର ଚିଂତା, କଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭା

ନିଜେ ବୁଝିଲେ ସବୁ ସ୍ପଷ୍ଟ
ଅନ୍ୟକୁ ବୁଝାଇଲେ କଷ୍ଟ
ଅଯଥା ହୁଏ ବେଳ ନଷ୍ଟ
ଚେତନା ହୁଏ ପଥଭ୍ରଷ୍ଟ

ମନ ଯାହା ପାରିଛି ବୁଝି
ତାହା ମାନିବା ପାଇଁ ରାଜି
ହେଲେ, ମନରୁ ହଟେ ଦ୍ବଂଦ୍ବ
ମିଳଇ ବିରଳ ଆନଂଦ

ସେହି ଆନଂଦ ପ୍ରାପ୍ତି ପାଇଁ
ଅନ୍ୟକୁ ହୁଏନି ବୁଝାଇ
ପ୍ରତ୍ୟେକ ମଣିଷର ମନ
ଅଟଇ ମୂଳତଃ ସ୍ବାଧୀନ

ଅନ୍ୟର ଉପରେ ପ୍ରଭାବ
ପକାଇ ନିଜର ସ୍ବଭାବ
ଯିଏ ବି ପାରେନି ସଂଭାଳି
ଅବଶ୍ୟ ପଡ଼େ ଶୀଘ୍ର ଟଳି

ନିଜେ ଜଗି ନିଜର ସୀମା
ଯିଏ ବି କରିଜାଣେ କ୍ଷମା
ସେ ନିଜେ ପାଏ ଉପକାର
ତାହା ହିଁ ତା’ର ସ୍ବାଧିକାର

ନିଜର କାମ ପାଇଁ ଦାୟୀ
ହୋଇ ଚଳିଲେ ସୁଖ ପାଇ
ସାର୍ଥକ ହୁଏ ଏ ଜୀବନ
ଅନ୍ୟାନ୍ୟ କଥା ମୂଲ୍ୟହୀନ

ସ୍ବାନୁଭୂତିରୁ କହି କଥା
ରଖିପାରିବା ଭାଷା ସତ୍ତା
ଅନ୍ୟର କଥାର ସାରାଂଶ
କହିଲେ ଭାଷା ହୁଏ ଧ୍ବଂସ

ଭାଷା ହେଲେ ହେଁ ସଭିଂକର
ଭାବ ତ ଏକାଂତ ନିଜର
ସେହି ଭାବକୁ କହି ଲେଖି
ପାରିବା ସ୍ବଭାଷାକୁ ଟେକି

ବହିରୁ କଲେ ଆହରଣ
ଅଜଣା ରହେ ବ୍ୟକ୍ତି ଗୁଣ
ଅଯଥା ଅଧିକ ଉଦ୍ଧୃତି
କରେ ଭାଷାର ଖୁବ୍‌ କ୍ଷତି

ନିଜ ଉପରେ ନିଜେ ଆସ୍ଥା
ରଖି କହିବା ଯେଉଁ କଥା
ତାହା ତ ଚିଂତା ଓ ଭାବନା
କହିଲେ ପଡ଼େ ସବୁ ଜଣା

Comments are closed.