ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଭାଷାକୁ ନ କଲେ ସରଳ
ଆଗକୁ ସମସ୍ୟା ପ୍ରବଳ
ହେବାର ଯଥାର୍ଥ ଆଶଂକା
ଏବେ ହେଉଛି ଅଣଦେଖା
ସ୍ବଭାଷା ଲେଖିବାକୁ ଡରି
ସ୍ବଭାଷୀ ଅଛଂତି କିପରି
ତାହା କି ଦେଖାଯାଉନାହିଁ
ସରଳ ହେଉଁନୁ କିପାଇଁ
ଅତୀତ ସୁକୀର୍ତିର ବଳେ
ଏବେ କି କେଉଁ ଭାଷା ଚଳେ ?
ଖୋଜିଲେ ପ୍ରଶ୍ନର ଉତ୍ତର
ସଭିଏଁ ହୋଇବା ତତ୍ପର
ଭାଷାରେ ଅଲୋଡ଼ା ନେତୃତ୍ବ
ପ୍ରତ୍ୟେକ ଭାଷୀଂକ କର୍ତୃତ୍ୱ
ନୁହେ ଅଳପ କିଂବା ବେଶି
ଏତିକି ବୁଝି ହେଉଁ ଖୁସି
ନ ହେବା ଯାଏଁ ନିର୍ଦେଶିତ
ଯଦି ହେବାନି କର୍ମରତ
ଆମର ଏପରି ଅବସ୍ଥା
ହୋଇବ ଦେହସୁହା କଥା
ସରକାର କି ଅନୁଷ୍ଠାନ
ଦେଉନାହାଂତି ଯେଣୁ ଧ୍ୟାନ
ଏବର ଭାଷାପ୍ରେମୀଗଣ
କରଂତୁ ଭାଷା ଉନ୍ନୟନ
ଆମର ବୌଦ୍ଧିକ ଆଳସ୍ୟ
ସର୍ବତ୍ର ହୁଏ ଉପହାସ୍ୟ
ଦେଖାଇ ପ୍ରାଚୀନ ଭାସ୍କର୍ଯ
ସମାପ୍ତ କରୁଁ ଆମ କାର୍ଯ
ବ୍ୟାଧିକୁ ନ କଲେ ସ୍ବୀକାର
ସଂଭବ ନୁହେ ଉପଚାର
ଏ ଅତି ସାଧାରଣ କଥା
ବୁଝିପାରେନି ଆମ ମଥା
କଲେ ବ୍ୟକ୍ତିର କୀର୍ତିଗାନ
ସଭାକୁ ଯାଇ ପ୍ରତି ଦିନ
ହୁଏ କି ଭାଷାର ଉତ୍ଥାନ ?
ନିଜକୁ ପଚାରୁଁ ଏ ପ୍ରଶ୍ନ
ଅଭିବ୍ୟକ୍ତିଠୁଁ ବ୍ୟକ୍ତି ବଡ଼
ହୋଇଲେ ଭାଂଗେ ମେରୁହାଡ଼
ଉପତ୍ୟକାରେ ହୁଏ ଭିଡ଼
କେହି ନ ଚଢ଼ଂତି ପାହାଡ଼
ନ ଥିଲେ ଶବ୍ଦାଳୁ ସାଧକ
ସଭିଏଁ ଭାଷାର ବାଧକ
ସାଜିବା ହୁଏ ସ୍ବାଭାବିକ
କେବେ ବୁଝିବେ ଆମ ଲୋକ ?
କୃତି ଲୁଚିଛି ଗ୍ରଂଥାଗାରେ
କେହି କି ଓଲଟାଂତି ଥରେ
ଏବେ ନ ପାରିଲେ ପଚାରି
ସଭିଏଁ ନିଶ୍ଚେ ଯିବା ହାରି
ଅଳୀକ ପ୍ରସିଦ୍ଧି ଲାଳସା
ଯୋଗୁଁ ହୋଇଛି ଯେଉଁ ଦଶା
ତହିଁର ଦ୍ରୁତ ନିବାରଣ
ଆଡ଼କୁ ଦେଲେ ଏବେ ମନ
କରିବା ନିଷ୍କାମ ପ୍ରଚେଷ୍ଟା
ଇଚ୍ଛା ସହିତ ଗୋଳି ନିଷ୍ଠା
ଭାଷାକୁ ମିଳିବ ପ୍ରତିଷ୍ଠା
ଲୋକେ ଲୋଡ଼ିବେ ଲେଖା ପୃଷ୍ଠା
Comments are closed.