କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଯିବା ସମୟରେ ମୀନାକ୍ଷି କ୍ରୋଧରେ ରୁମାଲଟିକୁ ତାଙ୍କ ଉପରକୁ ଫୋପାଡ଼ି ଦେଇଥିଲା । ତା’ର ସମସ୍ତ ବ୍ୟବହାର ବସ୍ତୁ ସେ ଛାଡ଼ି ଦେଇଯାଇଛି । ଯିବା ପୂର୍ବରୁ ଚନ୍ଦ୍ରଭାନୁ ତାକୁ ଅନୁରୋଧ କରିଥିଲେ, ସେଗୁଡ଼ିକ ନେଇଯିବାପାଇଁ । କିନ୍ତୁ ଘୃଣିତ କଣ୍ଠରେ ସେ ଜବାବ ଦେଇଥିଲା- ଯେଉଁ ମନୁଷ୍ୟର ହୃଦୟ କଳଙ୍କିତ; ତା’ଘରେ ଥିବା ସମସ୍ତ ବସ୍ତୁ କଳୁଷିତ ।
ଓଃ ମୀନାକ୍ଷି । ତମର ଫୁଟନ୍ତା ଫୁଲପରି ମୁଖରୁ କାଳସର୍ପର ଗରଳ ପରି ବିକ୍ଷାକ୍ତ ବାକ୍ୟ କିପରି ଉଦ୍ଗାର କରିପାରିଲ ? ଜଣକର ଏତେବଡ଼ ପଦମର୍ଯ୍ୟାଦାକୁ ଲୁଣ୍ଠିତ କରିଦେବା ପୂର୍ବରୁ ଭାବିଲନି ତା’ର ଉତ୍ତରଦଶା କି ରୂପଧାରଣ କରିବ ? ଅନ୍ତର୍ବେଦନାରେ ଆକୁଳ ଚନ୍ଦ୍ରଭାନୁ ଦୁଇ ପାପୁଲିରେ ମୁହଁକୁ ଚାପି ଧରିଲେ ।
ହଠାତ୍ କୋଠରୀ ଭିତରେ ଶବ୍ଦାୟିତ ହୋଇଉଠିଲା ଅନେକଙ୍କର ମିଳିତ ହସଧ୍ୱନି । ଗୁଡ଼ାଏ ଛାୟାଛବି ଚାରି ପାଖରେ ଛିଡ଼ାହୋଇ ତାଙ୍କର ବର୍ତ୍ତମାନର ସ୍ଥିତି ପାଇଁ ଉପହାସ କରୁଛନ୍ତି । କୋଠରୀ ଭିତରୁ ପ୍ରତିଧ୍ୱନି ଉଠୁଛି- ତମେ ହିଁ ତମ ସଂସାରରେ ଅଗ୍ନି ସଂଯୋଗ କରିଛ… ତମ ଭାଗ୍ୟକୁ ତମେ ହିଁ କଳଙ୍କର କାଳିେ ଅଙ୍କନ କରିଛ… ତା’ର ପ୍ରାୟଶ୍ଚିତ ପାଇଁ ଏଇ ଶୂନ୍ୟ ଅଟ୍ଟାଳିକାରେ ତମେ ଏକାକୀ ରହିବ, ସାଥୀହୀନ, ବନ୍ଧୁହୀନ ଅସହାୟ ଅବସ୍ଥାରେ… !!!
ଓଃ, ଏମାନେ ସବୁ କିଏ ? କାହିଁକି ତାଙ୍କ ଦୁର୍ଦ୍ଦିନରେ ଆସି ଉପହାସ କରୁଛନ୍ତି ?
– କିଛି କହିବ କି ?
ଲୁହଭିଜା ଡୋଳା ନେଇ ଲକ୍ଷ୍ୟ କଲେ ଚନ୍ଦ୍ରଭାନୁ । ତାଙ୍କ ଚାରିପାଖେ ଅନେକ ତରୁଣୀ । ପରସ୍ପର ପରସ୍ପର ଉପରେ ହସି ହସି ଲୋଟି ଯାଉଛନ୍ତି । ବିଭୀଷିକାମୟ ହୋଇ ଉଠୁଛି ଏ କୋଠରୀ । ଉଦ୍ବେଗରେ ଅସ୍ଥିର ହୋଇ ଉଠୁଛନ୍ତି ଚନ୍ଦ୍ରଭାନୁ ।
– କୁହ, କ’ଣ ସବୁ ତମେମାନେ କହିବାକୁ ଚାହଁ ? କି ଅଧିକାର ନେଇ ତମେ ସବୁ ମୋ କୋଠରୀରେ ପ୍ରବେଶ କରିଛ ?
– ହାଃ… ହାଃ… ହାଃ । ହସି ଉଠିଲେ ସମସ୍ତ ନାୟିକା ।
– କହିପାରିବ ପ୍ରିନ୍ସ୍, କି ଅଧିକାର ନେଇ ତମେ ଆମ ସମସ୍ତଙ୍କର ହୃଦୟ କୋଠରୀ ମଧ୍ୟରେ ପ୍ରବେଶ କରିଥିଲ ?
– ତେବେ ତମେ… ତମେ… ତମେ… !!!
– ହଁ, ଆମେ ସବୁ ତମର ଅତୀତ ପ୍ରେମିକାଗଣ… ତୁମ ଜୀବନର ବିଗତ ମୌସୁମୀ ସମୂହ… ।
ଅପମାନ, ଦୁଃଖ ଓ ଭୟରେ ଅସ୍ଥିର ହୋଇଉଠିଲେ ଚନ୍ଦ୍ରଭାନୁ । ତାଙ୍କର ଅତି ନିକଟରେ ଜଳିଉଠୁଛି ଚିତାଗ୍ନି । ନୀଳାମ୍ବରସ୍ପର୍ଶୀ ଧୂମକୁଣ୍ଡଳୀ ମଧ୍ୟରେ ଠିଆ ହୋଇଛି ମଧୁ… ତାଙ୍କର ବାକ୍ଦତ୍ତା ମଧୁମତୀ । ଆକସ୍ମିକ ସର୍ପାଘାତରେ ଯାହାର ପ୍ରାଣବାୟୁ ଅସମୟରେ ଉଡ଼ିଯାଇଥିଲା ଏବଂ ଅନ୍ୟପ୍ରେମିକାର ଅନ୍ୱେଷା ଭିତରେ ସେ ତା’ର ମୃତ୍ୟୁକୁ ସ୍ୱାଗତ କରିଥିଲେ । ସେଇ ମଧୁ ତାଙ୍କୁ ଆଜି ଶ୍ମଶାନ ଭୂମିକୁ ନେଇ ଆସିଛି, ତାଙ୍କର ବିବେକଶୂନ୍ୟତା ପାଇଁ ଅଭିଶାପ ଦେବା ଉଦ୍ଦେଶ୍ୟରେ ।
କ୍ରମଶଃ