ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସମୁଦ୍ର ରଖିନି ହିସାବ
କେତେ ଜାହାଜ, କେତେ ନାବ
ରହଂତି ସଦା ବୁଡ଼ି, ଭାସି
କେବେ ବି ଯାଆଂତିନି ମିଶି
ସିଂଧୁକୁ ସର୍ବଦା ଅଜଣା
କେତେଟା ନଦୀ ଓ ଝରଣା
ତାହା ଭିତରେ ହେଲେ ଲୀନ
ବାସ୍ତବ ଅର୍ଥରେ ନିଶ୍ଚିହ୍ନ
ତଥ୍ୟର ଆଦାନ ପ୍ରଦାନ
ଲାଗିରହିଛି ପ୍ରତି କ୍ଷଣ
କେବେ ବି ହୁଏନି ସଂପୂର୍ଣ
ଏହା ସତ୍ୟର ମୁଖ୍ୟ ଗୁଣ
ସତ୍ୟକୁ କଲେ ଲିପିବଦ୍ଧ
ହୁଏ ତହିଁର ପଥରୋଧ
କୌଣସି ସତ୍ୟ ନୁହେ ସ୍ଥାୟୀ
ବଦଳେ କାଳ ଅନୁଯାୟୀ
ଭାଷାର ବିଶାଳ ସଂସାର
ସତେ କି ଅସ୍ଥିର ସାଗର
ସରେନି କେବେ ଢେଉଗଣା
ଏତିକି ମାତ୍ର ଅଛି ଜଣା
ଜାଣିଲେ ‘ ଜାଣିନାହିଁ ‘ ବୋଲି
ସଂସାରେ ସୁଖେ ହୁଏ ଚଳି
ନ କଲେ ସୀମା ଅତିକ୍ରମ
ମଥାରେ ପଶେନାହିଁ ଭ୍ରମ
ଯାହା ନିଜ ଭିତରେ ଥାଏ
ବାହାରେ ଖୋଜିଲେ ନ ପାଏ
ଯାହା ସବୁଠି ବିଦ୍ୟମାନ
ଅଲୋଡ଼ା ତାହାର ସଂଧାନ
ବ୍ୟକ୍ତିର ପରିଚିତି ଲୁପ୍ତ
ହେବା ଯେହେତୁ ଶୁଦ୍ଧ ସତ
ରହିଲେ ତହିଁର ସହିତ
ମନ ହୁଏନି ବିଚଳିତ
Comments are closed.