ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଜାଣଂତି ଭାଷା ପଢ଼ି ଲେଖି
କିଂତୁ ସତରେ ଲେଖଂତି କି?
ବୁଝିଲେ ଥରଟେ ପଚାରି
ଜାଣିବା ସ୍ବଭାବ ଆମରି
କଥା କହଂତି ଖୁବ୍ ବେଶି
ନୁହଂତି ଲିଖନ ପ୍ରୟାସୀ
ତେଣୁ ଏ ଭାଷାର ଅବସ୍ଥା
ନେଇ ହେଉଛି ଏତେ ଚିଂତା
ଶିକ୍ଷା ଗ୍ରହଣ କରିସାରି
ଦିଅଂତି ସହଜେ ପାସୋରି
ଓଡ଼ିଆ ନୁହେ ଆବଶ୍ଯକ
ଭାବଂତି ଅଧିକାଂଶ ଲୋକ
ବଡ଼ମାନଂକୁ ଦେଖି ଦେଖି
ବାଳକେ ପାରଂତିନି ଶିଖି
ହୁଏନି ଜ୍ଞାନ ହସ୍ତାଂତର
ଏପରି ଦୁଃସ୍ଥିତି ଆମର
ବିତ୍ତଶାଳୀଂକ ଘରେ ବହି
ଖୋଜିଲେ ସୁଦ୍ଧା ମିଳେନାହିଁ
କେବଳ କାଗଜ, ପତ୍ରିକା
ବେଳେ ବେଳେ ଦିଅଂତି ଦେଖା
ପୁସ୍ତକ ବିହୀନ ଭବନ
ସଜାଂତି ଆମର ସୁଜନ
ସେହି ଭବନେ ଶିଶୁ ରହି
ଜ୍ଞାନ ଟିକିଏ ପାଏନାହିଁ
ଶିକ୍ଷିତ ମାଆ, ବାପାମାନେ
ଯାହା ପୂରାଂତି ଶିଶୁ ମନେ
ତାହା କେବଳ ଆଡ଼ଂବର
ଏମିତି ଆମ ପରିବାର
ନିଜର ଆଦ୍ୟଭାଷା ଭୁଲି
ଲୋକେ ଯଦି ପାରଂତି ଚଳି
ହୋଇସାରିଛି ଅବକ୍ଷୟ
ତେବେ ବି ସଭିଏଁ ନିର୍ଭୟ
ଲୋକେ କରିଲେ ଯୋଗଦାନ
ହୁଅଂତା ଭାଷାର ଉତ୍ଥାନ
ଏହି କର୍ତବ୍ୟ ସଂପାଦନ
ଆଡ଼କୁ ନିଅଂତିନି ମନ
ଏତେ ଅଧିକ ଅବହେଳା
କାହିଁକି ଆମ ଦ୍ବାରା ହେଲା
କରିବା ଏବେ ହିଁ ସମୀକ୍ଷା
ସ୍ବଭାଷା ପାଇଯିବ ରକ୍ଷା
Comments are closed.