Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ସେଵା ଓ ସେବକ କ୍ରମରେ ଆମେ ଆଲୋଚନା ଜାରି ରଖିଛେ । ସୁଆର ଓ ମହାସୁଆର ନିଯୋଗ ବିଷୟରେ ଏହି ପରିପ୍ରେକ୍ଷୀରେ ଆଜି କିଛି ଏମିତି ସେବକଙ୍କ କଥା ଆଲୋଚନା କରିବା ଯେଉଁ ମାନଙ୍କ ବିନା ସୁପକାରମାନେ ରୋଷ କାର୍ଯ୍ୟ କରିବା ଅସମ୍ଭବ। ଅର୍ଥାତ ରୋଷର ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଏହି ମାନେ ହିଁ କରନ୍ତି। ଯଥା :- ରୋଷ ଧୋପଖାଳିଆ, ଅଙ୍ଗାରୁଆ, ଓ ଗୋବରପାଣିଆ. ରୋଷଧୋପଖାଳିଆ ନାମରୁ ତାଙ୍କ କାର୍ଯ୍ୟ ଆମେ ଜାଣିପାରୁ ଦୈନିକ ବଡ଼ସିଂହାର ଧୂପ ଶେଷ ହେବା ପରେ ରୋଷ ଘରମାନ ଓଳାଇ ସଫା କରିବା ସହ ସମସ୍ତ ଶଙ୍ଖୁଡି ପଦାର୍ଥ ବାହାର କରି ରୋଷ ମୁହଁ ଅଗଣାରେ ଜମାକରି ଦେବେ। କାର୍ତ୍ତିକ ମାସ ଓ ପହିଲି ଧୂପରେ କୋଠ ଭୋଗ ରୋଷ କେବଳ ବଡ଼ ସିଂହାର ଧୂପ ପରେ ଧୋପଖାଳ ହୁଏ। ଅନ୍ୟ ସବୁ ରୋଷ ଘର ଦ୍ବିପ୍ରହର ଧୂପ ପରେ ଧୋପଖାଳ ହୁଏ। ସେହିପରି ଅଙ୍ଗାରୁଆ ସେବକମାନେ ଚୁଲିମାନଙ୍କରୁ ଅଙ୍ଗାର ଓ ପାଉଁଶ କାଢି ବାହାରେ ପକାଇ ଥାନ୍ତି। ରୋଷ ଭିତର ନଳା ମଧ୍ୟ ସଫା କରିଥାନ୍ତି । ଗୋବରପାଣିଆ ସେବକ ମାନେ ଏହିସବୁ ପରିଷ୍କାର ପରିଛନ୍ନ କାର୍ଯ୍ୟ ପରେ ରନ୍ଧା ଚୁଲି ଓ ତଳ ସବୁ ଆଡେ ଗୋବରପାଣି ଛେରା ପକାନ୍ତି। ବାହାର ଅଗଣାରେ ଜମିଥିବା ଅଳିଆକୁ ମନ୍ଦିର ବାହାରକୁ ନେଇ ପକାନ୍ତି। ପରେ ରୋଷ ଅଗଣା ଧୋପଖାଳ କରନ୍ତି। ଏହିସବୁ କାର୍ଯ୍ୟ ସମାପନ ପରେ ରୋଷ ଧୋପଖାଳିଆମାନେ ପୁଣି ରୋଷ ଧୋଇ ସଫା କରନ୍ତି ଓ ହୋମ ସକାଶେ କୋଠ ଭୋଗ ଚୁଲିରୁ ନିଆଁ ଆଣି ଯୋଗାନ୍ତି। ଆପଣମାନେ ଭାବୁଥିବେ ଏମାନେ ଶୁଦ୍ର ସେବକ ହୋଇଥିବେ। କିନ୍ତୁ ଏମାନେ ବ୍ରlହ୍ମଣ ସେବକ ଅଟନ୍ତି। ତାହା ପୁଣି ଶାଢ଼ୀବନ୍ଧା ବ୍ରlହ୍ମଣ ସେବକ। ଆହୁରି ପ୍ରଶଂସନୀୟ କଥା ଏହି ସେବା ବଂଶାନୁକ୍ରମିକ ଅଟେ। ଅର୍ଥାତ ପିତା ନିଜ ପୁତ୍ରଙ୍କୁ ଏହି ସେବାର ମହନୀୟତା ବୁଝାଇ ଓ ସମସ୍ତ ଶିକ୍ଷା ପ୍ରଦାନ କରି ଏହି ସେବାରେ ନିୟୋଜିତ କରlନ୍ତି। ଆଗାମୀ ଆଧ୍ୟାୟରେ ଜାଣିବା ଏମିତି ଆଉ କିଛି ସେବକଙ୍କ ବିଷୟରେ। ଯାହାଙ୍କ ବିନା ରୋଷ ଶାଳ କାର୍ଯ୍ୟ ଅସମ୍ଭବ ହୁଅନ୍ତା । ଏବେ କିନ୍ତୁ ଆରାଧନା ଓ ଭାଗବତ ପଠନ କରିବାର ସମୟ।

ଚିତ୍ତ ସନ୍ତୋଷ ଯଥା ଲାଭେ
ନିତ୍ୟେ ବଞ୍ଚିବ ମୋର ଭାବେ ।
ଯେ ବିପ୍ର ହରି ପରାୟଣେ
ଗୃହେ ବସଇ ସାଧୁ ପଣେ ।
ନିତ୍ୟେ କରଇ ମୋତେ ଧ୍ୟାନ
ସେ ନୋହେ ନରକେ ପତନ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.