Latest Odisha News

ଭାଷା ଭାଗବତ : ଶବାରାଧନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅତୀତ ରହିଛି ମଥାରେ
ଚଳିତ କାଳ ତ କଥାରେ
ଯାହା ଆମର ଭବିଷ୍ଯତ
ଗଢ଼ିପାରିବ ଆମ ହାତ

ମଥାର ସ୍ମୃତି ସର୍ବପ୍ରିୟ
ଏବର ସ୍ଥିତି ଶୋଚନୀୟ
ଭବିଷ୍ଯତ ଗଢ଼ିବା ପାଇଁ
ତେବେ ବି ହାତ ଚଳୁନାହିଁ

ପ୍ରଥା, ପଦ୍ଧତି, ରୀତି ପାଳି
ନିଜ କର୍ତବ୍ୟ ଯାଉଁ ଭୁଲି
ଏପରି ସମୂହ ସ୍ବଭାବ
ଯୋଗୁଁ ହିଁ ହଟେନି ଅଭାବ

କେବେ ହେବ ଚୈତନ୍ୟୋଦୟ
ଜାଣେନି ଜନ ସମୁଦାୟ
କାଳ ସୁଅରେ ଯାଏ ଭାସି
ତହିଁରୁ ମିଳିଥାଏ ଖୁସି

ସାଗରେ ଯାଏ ଯଦି ମିଶି
ନଈଟେ ପୁଣି ଫେରି ଆସି
କେବେ କି ଚଢ଼େ ବନ, ଗିରି ?
ବୁଝୁଁ ତ ଲୋକଂକୁ ପଚାରି

ଯାହା ବି ଯାଇଅଛି ବିତି
ମନରେ ରଖି ତା’ର ସ୍ମୃତି
ବ୍ୟକ୍ତି ହୋଇଲେ ଉଲ୍ଲସିତ
ହୁଏନି ସାମୂହିକ ହିତ

କରିଲେ ଯେତେ ଜୀର୍ଣୋଦ୍ଧାର
କେବେ କି ଭବନ କାହାର
ହୋଇଛି ସତେ ପୂର୍ବ ଭଳି
ବୁଝିବା ଥରଟିଏ ଭାଳି

ଶବାରାଧନା କରି ଜାତି
ସହିଛି ଏତେ ବେଶି କ୍ଷତି
ତେବେ ବି ବଦଳୁନି ମତି
ଏହା ହିଁ ଆମର ପ୍ରକୃତି

ନୂତନତାକୁ ସଦା ଡରି
କିଛି ବି ନ ପାରିଲେ କରି
ଯୁଗ ସହିତ ଦେଇ ତାଳ
ଚଳିବା ହୁଏନି ସଫଳ

Comments are closed.