ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ନଦୀ ପିଏନି ନିଜ ଜଳ
ଗଛ ଖାଏନି ନିଜ ଫଳ
ଫୁଲ ଶୁଂଘେନି ନିଜ ବାସ
ସୂର୍ଯକୁ ଅଲୋଡ଼ା ପ୍ରକାଶ
ପାରସ୍ପରିକ ନିର୍ଭରତା
ଯୋଗୁଁ ସଂଭବ ବିଶ୍ବ ସତ୍ତା
ସଭିଏଁ କରୁଥାଂତି ଦାନ
ତେଣୁ ତ ରହିଛି ଜୀବନ
ସ୍ବୟଂଚାଳିତ ଯେଣୁ ବାୟୁ
ତାହା ହିଁ ହୋଇଛି ଦୀର୍ଘାୟୁ
ସର୍ବଂସହା ପଥର, ମାଟି
କେବେ ବି ଫିଟାଂତିନି ପାଟି
ଯାହା ବି ପ୍ରକୃତି ସଂଭୂତ
ପରସ୍ପର ସହିତ ଯୁକ୍ତ
ହୋଇ କରଂତି ନିତ୍ଯ ହିତ
ହୁଅଂତି ସର୍ବେ ଉପକୃତ
ଅଥଚ ମଣିଷ ଜୀବନ
ଭାଷା, ସଂସ୍କୃତି ଭିନ୍ନ ଭିନ୍ନ
ହେବାରୁ ନାହିଁ ସମନ୍ବୟ
କ୍ରମଶଃ ହେଉଥାଏ କ୍ଷୟ
ପ୍ରକୃତି-ଦତ୍ତ ଉପାଦାନ
କରଂତି ସଭିଏଁ ଲୁଂଠନ
ତେବେ ବି ଅସମ ବଂଟନ
ଯୋଗୁଁ ଘଟେନି ଉନ୍ନୟନ
ବହୁତ ବଡ଼ କଥା କହି
ମଣିଷ ଅତି ସାନ ହୋଇ
କରେନି ନ୍ୟୂନତମ କାର୍ଯ
କିଛି ବି ହୁଏନି ସ୍ବୀକାର୍ଯ
ଚାଲେ ଅନାବଶ୍ୟକ ଯୁଦ୍ଧ
ବିକାଶ ହୁଏ ଅବରୁଦ୍ଧ
ଏପରି ବିଶ୍ବର ସଂସ୍କୃତି
କରିଚାଲିଛି ଖାଲି କ୍ଷତି
ମଂତ୍ର ପାସୋରି ଯଂତ୍ରଧାରୀ
ହେବାକୁ ବେଶି ମନ କରି
ମଣିଷ ହେଲେ ଅତ୍ୟାଚାରୀ
ସମୃଦ୍ଧ ହେବ ବା କିପରି ?
ଭାଷାର କୌଶଳ ଦେଖାଇ
ଯେ ପାରେ ଜନମନ ମୋହି
ସିଏ ବୋଲାଏ ଯେଣୁ ନେତା
ହୋଇଛି ଏହି ଦୁରବସ୍ଥା
Comments are closed.