ଲାବଣ୍ୟ ନାୟକ
ସେ
ଭାରି ମିଠା କଥା କହେ,
ପାଣିରେ ସର ପକାଏ
ପୁଳା ପୁଳା ହସ ମହଲୁ
ଖୁସି ଗପରୁ ଝୁଡିଏ ଆଣି
ଅଜାଡି ଦିଏ ମୁଣ୍ତ ଉପରେ,
କହେ
ହାତୀ ସୁନା କଳସୀ
ଢାଳିବାର ଯୋଗ୍ୟ ତୁ,
ଚନ୍ଦନବୋଳା କଥା ପରି
ଖୁବ୍ ଶୀତଳତା ଓ
ମଖମଲି ସ୍ପର୍ଶ ଦିଏ ତା’ ବ୍ୟବହାର,
ଭିତରେ ଭିତରେ ରଡ଼ ନିଆଁ ପରି
ଦାଉ ଦାଉ ଜଳୁଥାଏ କଲିଜା ତା’ର,
ଉପରେ ଯାଦୁ ମନ୍ତର ଫୁଙ୍କି
ଖୁବ ସନ୍ତର୍ପଣରେ ଜାଲ ପକାଏ,
ସୁନା ଇଲିସି ପାଇଛି
ନଈ ତୁଠକୁ ନ ଯାଇ
ଆହାଃ ମୋ ଭାଗ୍ୟ କହି
ମିଛରେ ଖୁବ୍ ଗର୍ବିତ ହୁଏ,
ଛଳନାର ଫଟୋଫ୍ରେମ୍ ତିଆରେ
ଖୁବ ଜୋର୍ ଖୁସିହୁଏ,
ସେଲିବ୍ରିଟିଠୁ ତୁ କୋଉ କମ୍ କି କହେ,
ହାତେ ମାପି ଚାଖଣ୍ତେ ଚାଲେ
ପ୍ରତି ମୁହୂର୍ତ୍ତରେ
ଶୁଖିଲା ପ୍ରଶଂସାରେ
ହିମାଳୟ ଶିଖର ଛୁଏଁ,
ଲୁଚାଛପା ସାପ ସିଡି
ଖେଳରେ ଖୁବ୍ ପାରଙ୍ଗମ ସେ,
ମୁହଁରେ ନକଲି ରଙ୍ଗ ବୋଳି
ଆତ୍ମାକୁ ଛୁଇଁବାକୁ ହାତ ବଢାଏ,
ହସର ଧାରୁଆ ଛୁରୀ
ଦୁଇପଟେ ଧାର ତାର,
ଦିନେ
ବିଶ୍ୱାସର ଅମୃତ ପିଆଇବ କହି
ଗରଳ ଭର୍ତ୍ତି ପିଆଲାକୁ
ନିଜ ହାତରେ ପିଆଏ,
ବାସ୍ ସମୟକୁ କାନ୍ଥଘଣ୍ଟାରୁ
କାଢ଼ି ଗୁପ୍ତଦ୍ୱାର ଦେଇ
ଚାଲାକିର ସହ ଫେରାର ହୁଏ,
ସକାଳୁ ତାଜା ଖବର
ଟିଭିରେ ହେଡ୍ ଲାଇନ୍ ଚାଲେ,
କାଲି ଯିଏ ନିରୀହ
ମାଛିକୁ ‘ମ’ କହୁ ନଥିବା ଝିଅଟି
ଆଜି କଣ ଆତ୍ମହତ୍ୟା କରିପାରେ !
ନା ହତ୍ୟା କରିଛି ତାକୁ କିଏ,
ପ୍ରମାଣ ଦବ ବା କିଏ ?
ଛନଛନ କଅଁଳ ଦେହ
ନୀଳରଙ୍ଗରେ ଗୋଟାପଣେ
ଗାଧେଇ ଥାଏ,
ରିପୋର୍ଟ୍ ପାଇଁ ଦାରୋଗା
କବାଟ ଖୋଲି ଦେଖେ ତ
ଗୋଲାପି ଓଠ ଧାରେ
ମାଛି ଭଣ ଭଣ ହୋଇ ବୁଲୁଥାନ୍ତି
ଓଃ କି କରୁଣ !
କୋଉଠୁ ମିଳିବ ଖବର,
ସତରେ କଣ ସେ ଫେରାର୍
କିନ୍ତୁ, କିଏ ସେ ହତ୍ୟାକରୀ…!!
ଦେବୀଦ୍ୱାର
ଯାଜପୁର