ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବାଚନିକ ଚର୍ଚାର ଅଂତ
ଏଠାରେ ଘଟିବା ପର୍ଯଂତ
ଦୋହଲୁଥିବ ମେରୁଖଂବ
ହେବନି ଆଉ କାର୍ଯାରଂଭ
ଅଯଥା କଥା କହି, ଶୁଣି
ଅଶୁଣା ଶବ୍ଦ ଦେଲେ ବୁଣି
ମିଳଇ ଆଦର ତତ୍କାଳ
ସର୍ବେ ଚାଖଂତି ବିଷଫଳ
କଥା କହି ଓ ଶୁଣି ପ୍ରୀତ
ହେବାର ଅଭ୍ୟାସ ବହୁତ
କରିସାରିଲେ ସୁଦ୍ଧା କ୍ଷତି
ହୋଇନି ତହିଁର ଗଣତି
କଥା କହିଲେ ବାରଂବାର
ବୁଲିଲେ ଗ୍ରାମ ଓ ସହର
ସାହିତ୍ୟ ରସିକ ସୁଜନ
ହୁଏନି ଭାଷାର ଉତ୍ଥାନ
ଘରକୋଣରେ ଲୁଚି ରହି
ଲେଖକ ଲେଖିଦେଲେ ବହି
ସେ ସବୁ ଭାଷାର ସଂପତ୍ତି
ରୂପେ ପାଆଂତି ପରିଚିତି
ସଂଳାପ, ବିଳାପ, ପ୍ରଳାପ
ଶୀଘ୍ର ହୋଇଯାଆଂତି ଲୋପ
ଅକ୍ଷର ପାଇଲେ ପ୍ରକାଶ
ଭାଷାକୁ ମିଳେ ଦୀର୍ଘାୟୁଷ
ବାଣୀ ତ ପବନରେ ମିଶେ
ଅକ୍ଷର ସ୍ପଷ୍ଟ ରୂପେ ଦିଶେ
ତେଣୁ ସ୍ବଭାଷା ସଂରକ୍ଷଣ
ନିମଂତେ କରିବା ଲିଖନ
ଏହି ବିଶ୍ବର କେଉଁ କୋଣେ
ହୁଏତ ଥିବ କେହି ଜଣେ
ଏ ସବୁ ଥରେ ଦେଲେ ପଢ଼ି
ଭାଷା ପାରିବ ଟିକେ ବଢ଼ି
ଅକ୍ଷର ଭାଷାର ସଂପତ୍ତି
ତହିଁର ସହିତ ସଂପୃକ୍ତି
ଯୋଗୁଁ ତ ସାଧାରଣ ବ୍ୟକ୍ତି
ପ୍ରକାଶ କରେ ଅଭିବ୍ୟକ୍ତି
Comments are closed.