ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୫୦
ପହଁରା ଆସେ ମୋତେ, ସତ
ନଦୀରେ ଥିଲେ ଜଳାବର୍ତ
ତତ୍କାଳ ପଡ଼େନାହିଁ ଡେଇଁ
ଦେଖେଁ କେବଳ ତଟେ ଥାଇ
କଥା ବୋଇଲେ କୋଳାହଳ
ଯୁକ୍ତି ମାତ୍ରକେ ଗଂଡଗୋଳ
ଯେଉଁଠି ଗୋଷ୍ଠୀର ପ୍ରବୃତ୍ତି
ସେଆଡ଼େ ଯାଏନାହିଁ ମତି
ମିଳିଛି ଅମୂଲ୍ୟ ସମୟ
ବିବାଦେ କରିବି ତା କ୍ଷୟ
ଏପରି ମନୋଭାବ ନାହିଁ
ନିରବେ ଦୂରେ ଥାଏଁ ରହି
ଯାହା ବି ଭାବନା ମୋହର
ସବୁକୁ କରୁଛିଁ ଅକ୍ଷର
ପାଠକେ କରିଲେ ସ୍ବୀକାର
ତାହା ମୋ ପାଇଁ ପୁରସ୍କାର
ଏହି ପ୍ରକାରେ ମୁହିଁ ଚଳେଁ
ଆପଣା ମୂଲ୍ୟବୋଧ ବଳେ
ନ ହୋଇ ତର୍କପରାୟଣ
ବିତାଏଁ ବର୍ଷ ମାସ ଦିନ
ବିଶାଳ ଏହି ଭାଷା କ୍ଷେତ୍ର
ଭାଷାଂଶ ଦେଖିଛି ମୋ ନେତ୍ର
ସେତିକି ମୋ ଜ୍ଞାନର ସୀମା
ଲଂଘନ କରେଁନାହିଁ ଜମା
ମୁଁ ନିଜେ ଯେଣୁ ସୀମାୟିତ
ଅତୀତ କିଂବା ଭବିଷ୍ଯତ
ନିମଂତେ ହୋଇନି ଚିଂତିତ
ବର୍ତମାନ ମୁଁ ସେବାରତ
ମୁହୂର୍ତାବଳିର ଗଣନା
କରୁଛିଁ ହୋଇ ଏକମନା
ମିଳିଛି କାଳ ଉପହାର
କରୁଛିଁ ତାହା ବ୍ୟବହାର
ତୃପ୍ତି ପ୍ରାପ୍ତି ହିଁ ଲକ୍ଷ୍ୟ ମୋର
କରେଁ ମୋ ଭିତରୁ ବାହାର
ଶବ୍ଦାଂଜଳି ହିଁ ମୋର କୃତି
ଦେଉଛିଁ, ଘେନୁ ମୋର ଜାତି
ସ୍ବଭାଷା ଅଟେ ସୂତ୍ରାଧୀନ
ଲୋଡ଼ୁଛି ଏବେ ଆମ ଧ୍ୟାନ
ଟିକିଏ ଲଗାଇଲେ ମନ
ହୋଇବ କୃତି ପରିପୂର୍ଣ
ଏ ଭାଷା ଅଟେ ପଦ୍ୟାଶ୍ରିତ
ସଂଗୀତ ସହିତ ଜଡ଼ିତ
ହେବାରୁ ଏବେ ଧାରାଚ୍ୟୁତ
ହୁଏ ଅଳପ ବ୍ୟବହୃତ
ପୁଣି ସେ ରୀତି ସଂସ୍ଥାପନ
ସକାଶେ କରିବା ଲିଖନ
ବର୍ତମାନରୁ ଭବିଷ୍ଯତ
କରିବା ଅଧିକ ଉନ୍ନତ
Comments are closed.