Latest Odisha News

ଭାଷା ଭାଗବତ : ଶୃଂଖଳା ସଂହାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଧ୍ବନି ଓ ଦୃଶ୍ୟ ସଂରକ୍ଷଣ
ଉପାୟ ଦେବାରୁ ବିଜ୍ଞାନ
ଆଜିକାଲି ଲେଖକଗଣ
ବର୍ଣନା କରିଲେ ବର୍ଜନ

ଲେଖକ ଦେଲେ ଟିକେ ଠାରି
ପାଠକ ତାହା ବୁଝିପାରି
କରେ ନିଜସ୍ବ ଅର୍ଥାରୋପ
ଲେଖାକୁ ଦିଏ ନୂଆ ରୂପ

ବିବିଧ ରଂଗଭରା ଚିତ୍ର
ସଂଗୀତ ଓ ସ୍ବର ଏକତ୍ର
ରହିଛି ଆମର ମୁଠାରେ
ସଭିଏଁ ଦେଖୁଛୁଁ ଏଠାରେ

ତେବେ ବି ଶବ୍ଦର ସଂସାର
ପାଉଛି ଏଯାଏଁ ଆଦର
ପାଠକ ପଢ଼ି ନିରଂତର
କରୁଛି ଭାଷାକୁ ସ୍ବୀକାର

ଲେଖକେ ହୋଇ ତରତର
କରିଲେ ଶୃଂଖଳା ସଂହାର
ମୁଦ୍ରିତ ଭାଷାରେ ବିଶ୍ବାସ
ସହଜେ ହୋଇପାରେ ନାଶ

ଏହି ସବୁ ବିଷୟ ହେଜି
ଲେଖକେ ହୋଇଗଲେ ରାଜି
ଲେଖିବେ ହୋଇ ସାବଧାନ
ଭାଷା ପାଇବ ସଂରକ୍ଷଣ

ଏବେ ତ ଯେ ପାରେ ଯାଚ୍ଛାତା
ଲେଖି ଦେଖାଏ ମନ କଥା
ତାହାର ଅମାନିଆ ଗୁଣ
ଭାଷାର ମାନ କରେ କ୍ଷୁଣ୍ଣ

‘ ଲେଖକ ‘ ବୋଲି ପାଇ ଖ୍ୟାତି
ଯେ କରେ ସ୍ବଭାଷାର କ୍ଷତି
ତାହାକୁ ମାଆ ସରସ୍ୱତୀ
ଦେବେ କି ଜ୍ଞାନଯୁକ୍ତ ବୃତ୍ତି ?

ମୁଁ ଯଦି ବୋଲାଏଁ ଲେଖକ
ରଖିବି ଆଗ ତାଂକ ଟେକ
ମୁଁ ହେଲେ କ୍ଷଣେ ଆନମନା
ମୋ ଭାଷା ପାଇବ ଗଂଜଣା

Comments are closed.