Latest Odisha News

BREAKING NEWS

ଭାଷା ଭାଗବତ : ସତ ଓ ମିଛ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସତ୍ୟ ସବୁଠି ବିଦ୍ୟମାନ
ତାହାକୁ ଦେଲେ ଟିକେ ଧ୍ୟାନ
ନ ହୋଇ କଳ୍ପନା-ପ୍ରବଣ
ହେବା ସତ୍ୟର ସମ୍ମୁଖୀନ

ପ୍ରିୟ, ଅପ୍ରିୟ ଯାହା ହେଉ
ତାହା ସ୍ବୀକାର କରିନେଉଁ
ନିଜେ ବି ହୋଇଲେ ଆହତ
ମାନିବା ସମ୍ମାନ ସହିତ

ସତ୍ୟକୁ କରିଲେ ସ୍ବୀକାର
ବହୁ ଦୁଶ୍ଚିଂତା ହୁଏ ଦୂର
ମ୍ଳାନ ହେଲେ ହେଁ ଭାବମୂର୍ତି
ମିଳଇ ଅନୁପମ ତୃପ୍ତି

ସତ୍ୟ ସହିତ କଲେ ବାସ
ମନରେ ବଢ଼ଇ ସାହସ
ବାସ୍ତବତାର ସମ୍ମୁଖୀନ
ହେବାକୁ ବଳେ ଆପେ ମନ

ମିଛ କହିଲେ ବାରଂବାର
ସତ ବୋଲି କଲେ ପ୍ରଚାର
ଚଂଚଳ ଯାଏ ତା ବଦଳି
ସତ ହିଁ ରହେ ସଦା ଚଳି

ମିଛ ଦିଶିଲେ ଲୋଭନୀୟ
ସତ କରେନି ତାକୁ ଭୟ
ସତ ହୋଇଲେ ସାଦା ସିଧା
ହୁଏନି କିଛି ଅସୁବିଧା

ମିଛ ହୋଇଲେ ଅଳଂକୃତ
ସତ ହୁଏନି ଭୟଭୀତ
ମିଛର ଥାଏ ବହୁ ରୂପ
ସତ ହିଁ ନିଜର ସ୍ବରୂପ

ମିଥ୍ୟାଚାରୀର ସ୍ମୃତି ଶକ୍ତି
ନ ହେଲେ ଅତି ବଳବତୀ
ସହଜେ ଧରା ପଡ଼େ ମିଛ
ଅମେଳ ଆଗ ଆଉ ପଛ

ସତକୁ ସ୍ପଷ୍ଟ ଭାବେ କହି
ତତ୍କାଳ ତାହା ଭୁଲିଯାଇ
ସୁଖରେ ଜୀବନ ଯାପନ
ସତିଆ କରେ ପ୍ରତି ଦିନ

Leave A Reply

Your email address will not be published.