ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୫୪
ଯାହା ବି ପଡ଼େ ଆମ କାନେ
ତାହା ହିଁ ସତ ଭାବି ମନେ
ସଂଚିଲେ ହେବା ହଇରାଣ
ସେପରି ଶୁଣାକଥାମାନ
ଯାହା ବି ଲେଖା ହୁଏ ବଂଟା
ମିଠା ପିତା ଓ କଷା ଖଟା
ସେ ସ୍ବାଦ ପାଇ ହେଲେ ଭୋଳ
ମନରେ ହୁଏ ଗଂଡଗୋଳ
ଶୁଣିବା କଥାର ସମୀକ୍ଷା
ଅନୁଭବରୁ କରି ଶିକ୍ଷା
ପାଇପାରିବା ଶୁଦ୍ଧ ଜ୍ଞାନ
ତାହାକୁ ଦେବା ଯଥାମାନ୍ୟ
ଚାଲିଛି ଧୀର ଉନ୍ନୟନ
କିଛି ବି ନୁହେ ସ୍ବୟଂପୂର୍ଣ
ଏଥିରେ କରି ଯୋଗଦାନ
ସୁଖରେ ଜିଇଁବା ଜୀବନ
ପ୍ରଶ୍ନ ପଚାରି ତନ୍ନତନ୍ନ
ଅର୍ଜନ କରି ସ୍ପଷ୍ଟ ଜ୍ଞାନ
କେବେ ନ ହୋଇ ସଂଦିହାନ
ରହିବା ହୋଇ ଜ୍ଞାନାଧୀନ
ଜ୍ଞାନ ତ ସଂଚିଥିବା ଧନ
କେ କରିପାରେନି ଲୁଂଠନ
କରିବା ବିକାଶ ବର୍ଧନ
ଜ୍ଞାନକୁ କରି ନିତି ଦାନ
ସେଆଡ଼େ ଦେଇ ବେଶି ଧ୍ୟାନ
କରିବା ଅଧିକ ଲିଖନ
କେହି ନ ହେଉଁ କାହା ଗୁରୁ
ପ୍ରତିଭା ପୋଷି କାମ ସାରୁଁ
ଭାଷାରେ ଉଚ୍ଚ ନୀଚ ନାହିଁ
ରୁଚି ଦକ୍ଷତା ଅନୁଯାୟୀ
ମନରୁ ଭାବ କାଢ଼ି ଆଣୁ
କହୁଁ ଓ ଲେଖୁଁ ଯେତେ ଜାଣୁ
ଖେଳି ଖେଳି ପାରିବା ଲେଖି
ଦେଖି ପଢ଼ି ପାରିବା ଶିଖି
ବଂଚାଇ ରଖୁଁ ଭାଷା ପ୍ରୀତି
ମିଶି ଘଟାଉଁ କ୍ରମୋନ୍ନତି
ମନକୁ କରି ପ୍ରୀତିପୂର୍ଣ
ନିଜ କାମକୁ ଦେଉଁ ଧ୍ୟାନ
ଅସାଧ୍ୟ କରିବା ସାଧନ
ସାର୍ଥକ ହେବ ଏ ଜୀବନ
Comments are closed.