Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୮)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୮

କି ପ୍ରକାର ମୂର୍ଖ ! ବୁଦ୍ଧି ବୃତ୍ତି କ’ଣ ଟିକିଏ ହେଲେ ନାହିଁ । ସୁକାନ୍ତି ଯେ ଆଠ ମାସର ଗର୍ଭବତୀ । ତା’କୁ ହେଭି କାମ କରିବାକୁ
ମ୍ୟାଡ଼ମ୍ ବାରମ୍ବାର ବାରଣ କରିବାର ଶୁଣିଛି ସେ । ତାଙ୍କୁ ସମ୍ଭାଳିନେବା ୟା ପକ୍ଷେ କ’ଣ ସମ୍ଭବ? ତା ମୁଣ୍ଡରୁ କେମିତି ଆଉଟ୍ ହେଇଯାଇଛି ଏ କଥା । ସେ ବି କିଛି ଚିନ୍ତା ନ’ କରି ସିଧା ନଇଁ ପଡ଼ି ମ୍ୟାଡ଼ମ୍‌ଙ୍କୁ ଉଠାଉଛି ।

ନିଜକୁ ଧିକ୍କାର କଲା କୁମାର । ଚିନ୍ତା କରିବାକୁ ସମୟ ନାହିଁ । ତା’କୁ ହିଁ ଆରାଧ୍ୟାର ସାହାରା ହେବାକୁ ପଡ଼ିବ । ଉପର ଫ୍ଲୋର୍‌
ପର୍ଯ୍ୟନ୍ତ ନେଇଯିବାକୁ ହେବ । ବିନା ସଙ୍କୋଚରେ । ଆଉ ବା ଉପାୟ କ’ଣ? ସାରଙ୍କୁବି ଏମିତି ନେଇଛି ଅନେକ ଥର । ତାଙ୍କ ବେଡ଼ ଯାଏ । କିନ୍ତୁ ତାଙ୍କ ପରିସ୍ଥିତି ଓ ୟାଙ୍କ ଭିତରେ ଆକାଶ ପାତାଳ ଫରକ୍ । ସାର୍ ମୌଜ୍ କରି ମାତାଲ୍ ହେଇଥାଆନ୍ତି । ଇଏ ବି ଏକ ପ୍ରକାର ଚେତା ଶୂନ୍ୟ । ଅସୁସ୍ଥ । ଶାରୀରିକ ଓ ମାନସିକ ଭାବେ ।

ଶେଜରେ ଶୁଆଇ ଦେଇ ରେଜେଇ ଘୋଡେଇ ଦେଲା କୁମାର । ସୁକାନ୍ତି ଭେଜିଟେବଲ୍ ସୁପ୍ ଆଣି ବେଡ଼ ସାଇଡ଼୍ ଟେବଲ୍ ଉପରେ ରଖିଲା ।

ଆପଣ ଚା’ ପିଇବେ ସାର ।
ନା;

ସୁକାନ୍ତି ଭାରି କ୍ଲାନ୍ତ ଦେଖାଯାଉଛି । ସ୍ୱାଭାବିକ । ଏ ଅବସ୍ଥାରେ ତା’ର ଏତେ କାମ କରିବା ଅନୁଚିତ । ଥକିଯାଇଥିବ ନିଶ୍ଚେ । ମୁହଁ ଖୋଲି କିଛି କହିପାରୁ ନାହିଁ । ନୀରବରେ ମା’ଙ୍କ ସେବାରେ ଲାଗିପଡିଛି । ପେଟ ଚାଖଣ୍ଡଙ୍କ ପାଇଁ ମୁଣ୍ଡ ବିକିଥିବା
ଗରିବଙ୍କ ମୁଣାରେ ଧନ ସହ ଶଦ୍ଦର ଘୋର ଅଭାବ ଥାଏ । କେବଳ ଆଦେଶ କୁ ଅପେକ୍ଷା କରନ୍ତି । କର୍ମ କରିବା ହିଁ ତାଙ୍କର ଧର୍ମ । ଅନେକ କିଛି ସହିଯିବାକୁ ହୁଏ । ଭୁକ୍ତଭୋଗୀ ସେ ।

ବିଶେଷ କିଛି କରିବାର ନାହିଁ । ଖାଲି ଏ ସୁପ୍ ପିଇବାପରେ ଏଇ ଏଇ ମେଡ଼ିସିନ ଖାଇବେ । ଦେଖିନେ ଥରେ ।

Comments are closed, but trackbacks and pingbacks are open.