ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏବେ କେତେକ ପ୍ରଭୁଭକ୍ତ
ବିଚିତ୍ର ବ୍ୟାଧିରେ ପୀଡ଼ିତ
‘ ଧର୍ମୀୟ ଭାବନା ଆହତ ‘
ନାମରେ ତାହା ପରିଚିତ
ପଢ଼ି ବାକ୍ୟ ଓ ଶୁଣି ବାଣୀ
ସତରେ କାହିଁକି କେଜାଣି
ମନେ ହୁଅଂତି ମିଛେ ଗୁଣି
ହୋଇଗଲା ବିଶ୍ବାସ ହାନି
ଏ ଧର୍ମ ଅଟେ ସନାତନ
ତା’ର ମହତ୍ତ୍ବ ବର୍ତମାନ
କରିଲେ କଥନ, ଲିଖନ
କିପରି ହୋଇପାରେ କ୍ଷୁଣ୍ଣ ?
ନିଜକୁ ନିଜେ ଏହି ପ୍ରଶ୍ନ
ପଚାରି ଏବେ ଭକ୍ତଜନ
ଖୋଜିଲେ ଯଥାର୍ଥ ଉତ୍ତର
ଏ ବ୍ୟାଧି ନିଶ୍ଚେ ହେବ ଦୂର
ଯେ ଯାହା ଆସ୍ଥାର ସହିତ
ସର୍ବଦା ରହିଲେ ଜଡ଼ିତ
ଅନ୍ୟ କାହାର ମତାମତ
କରିବନାହିଁ ବିଚଳିତ
ଅନ୍ୟର ଦୁର୍ଗୁଣ ପ୍ରକାଶ
ନିଜର ସୁଗୁଣ ବିକାଶ
ମଧ୍ୟରୁ ଯାହା ସ୍ପୃହଣୀୟ
ତାହା ହିଁ ହେଉ ଗ୍ରହଣୀୟ
ଦୋହଲେ ଯଦି ଭକ୍ତ ମନ
କରେ ଅଯଥା ଅନୁମାନ
‘ ଏଣିକି ହେବ ଧର୍ମନାଶ ‘
ଏ ଚିଂତା ଅଟେ ଉପହାସ୍ୟ
ଯେ ହୁଏ ସ୍ବଧର୍ମ ବିଶ୍ବାସୀ
ସେ ସହିପାରେ ହସି, ହସି
ଶୁଣିଲେ, ପଢ଼ିଲେ ଦୁର୍ଭାଷା
ତୁଟେନି ତାହାର ଭରସା
ଭକ୍ତ ହୋଇଲେ ଆସ୍ଥାଧାରୀ
ଅସଂଖ୍ୟ ଉପକାର କରି
ରହେ ଏ ସଂସାର ସହିତ
କେବେ ବି ହୁଏନି ଆହତ
Comments are closed.