ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ଅବସରରେ ଏହା ପାକ ହେଉଥିବା ରୋଷଶାଳ ବିଷୟରେ ଆଲୋଚନା ଜାରି ରହିଛି। ସାଧାରଣ ଗୃହଟିଏ ନିର୍ମାଣ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ଏହାର ରୋଷେଇ ଘର ପ୍ରତି ବିଶେଷ ଧ୍ୟାନ ଦେଇଥାଏ। ଆଉ ଏହାତ ଭୋଜନ ପ୍ରିୟ ଠାକୁର ଶ୍ରୀଜଗନ୍ନାଥଙ୍କ ରୋଷଶାଳ ତେଣୁ ଏହାର ବିଶେଷତ୍ୱ ନିଶ୍ଚିତ ଭାବେ ନିଆରା ଓ ଅନନ୍ୟ। ଆସନ୍ତୁ ଜାଣିବା ସେ ନିଆରା ପଣିଆଟି କଣ? ରୋଷଶାଳର ମୂଖ୍ୟ ପଦାର୍ଥଟି ହେଲା ଏହାର ଇନ୍ଧନ, କେଉଁ ଆବାହମାନ କାଳରୁ ରୋଷଶାଳରେ କେବଳ ଝାଉଁକାଷ୍ଠ ବ୍ୟବହାର ହୋଇଆସୁଛି। ଏହାଛଡା ତିନି ରଥ ଭଙ୍ଗା ହେବାପରେ ଏହାର କାଷ୍ଠକୁ ମଧ୍ଯ ଏଠାରେ ଜାଳେଣି ରୂପେ ବ୍ୟବହାର କାରାଯାଏ। ଆଗରୁ ଜାଣିଲେ ଏହାର ଚୁଲି ଗୁଡିକ ସ୍ୱତନ୍ତ୍ର ଧରଣର, ଏବେ ଇନ୍ଧନ କେବଳ ଝାଉଁ କାଷ୍ଠ (ଯାହାକି ସମୁଦ୍ର କୁଳିଆ ବାଲିରେ ମଧ୍ଯ ବଞ୍ଚିପାରେ )ପୁରୀ ସହରର ଆଖପାଖ ରେ ଏହାର ପ୍ରଚୁର ଜଙ୍ଗଲ ରହିଛି। ହୁଏତ ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହା ବି ଏକ ଆଶୀର୍ବାଦ । ବିଶ୍ୱର ଏହି ବୈଚିତ୍ରମୟ ରୋଷଶାଳର ଐତିହ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ଆଜି ପର୍ଯ୍ୟନ୍ତ କେବେ ଏଠାରେ କୌଣସି ରନ୍ଧନ ସାମଗ୍ରୀ ପୋଡି ଯିବା ବା ଅସିଦ୍ଧ ରହିବା ଦେଖାଯାଇନି। କିନ୍ତୁ ଏଠାରେ ଶହ ଶହ ସେବକଙ୍କ ଦ୍ୱାରା ଲକ୍ଷାଧିକ ଜନତାଙ୍କ ପାଇଁ ଭୋଗ ପ୍ରସ୍ତୁତ ହୋଇଥାଏ। ପ୍ରତିଦିନ ରୋଷ ଶାଳ ପରିସରରେ ରୋଷ ହୋମ ସମାପନ ପରେ ସେହି ଯଜ୍ଞଅଗ୍ନିରୁ ବୈଷ୍ଣବାଗ୍ନି ଯାଇ କୋଠ ଭୋଗ ଚୁଲିରେ ଅଗ୍ନି ସଂଯୋଗ ହେବାପରେ ଅନ୍ୟ ଚୁଲିମାନଙ୍କରେ ଅଗ୍ନି ସଂଯୋଗ ହୋଇଥାଏ। ସବୁଠାରୁ ମୂଖ୍ୟ କଥା ହେଲା ରୋଷଶାଳ ମୂଖ୍ୟ ପ୍ରବେଶ ପଥରେ ଥିବା ଗୁମୁଟ ନିକଟରେ ଏକ ସ୍ୱତନ୍ତ୍ର ଠଣାରେ ପ୍ରତିଷ୍ଠିତ କ୍ଷୁଦ୍ର ଗଣେଶ (ରୋଷ ଗଣେଶ )ଙ୍କୁ ମଧ୍ଯ ପ୍ରଥମେ ପୂଜା କାରାଯାଏ। ଆଉ ପ୍ରତ୍ୟେକ ସୁପକାର ରୋଷଶାଳକୁ ପ୍ରବେଶ ପୂର୍ବରୁ ଏହି ଗଣେଷଙ୍କୁ ପ୍ରଣାମ ଜଣାଇ ପ୍ରବେଶ କରନ୍ତି ଓ ବିଘ୍ନହର୍ତ୍ତାଙ୍କୁ ସ୍ମରଣ କରି ରୋଷ କାର୍ଯ୍ୟ ଆରମ୍ଭ କରନ୍ତି। ଏକ ପରିସଂଖ୍ୟାନରୁ ଜଣାଯାଏ ପ୍ରତିଦିନ ପ୍ରାୟ କୋଡ଼ିଏରୁ ଉର୍ଦ୍ଧ ସୁପକାର ରନ୍ଧନ କ୍ରିୟାରେ ନିୟୋଜିତ ହୁଅନ୍ତି। ଏମାନଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥାତ କୂପରୁ ପାଣି ଆଣିବା, ହାଣ୍ଡି ଧୋଇବା, ଚାଉଳ, ଡାଲି ଇତ୍ୟାଦି ଧୋଇବା, ପରିବା କାଟିବା ନଡ଼ିଆ କରିବା, ମସଲା ବଟିବା ଇତ୍ୟାଦି କାର୍ଯ୍ୟ ପାଇଁ ପ୍ରାୟ ୨୦୦ ଯୋଗାଣିଆ ସେବକ କାମ କରନ୍ତି। ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ରାଜ ଭୋଗ ପ୍ରସ୍ତୁତିରେ ନିୟୋଜିତ ସୁପକାର ଓ ଅନ୍ୟାନ୍ୟ ସେବକଙ୍କ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ଭୂମି ଉଦକ ତୃଣlସନେ
ବିନୟ କୋମଳ ବଚନେ ।
ସନ୍ତୋଷ ଆତ୍ମା ଯେବା ନରେ
ଅନ୍ତେ ପଶନ୍ତି ସୁଖ ଘରେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )