ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
‘ ଅଂତର୍ଜାଲ ‘ ରେ ଯେତେ ସ୍ଥାନ
ଓଡ଼ିଆ ଏଯାଏଁ ଗ୍ରହଣ
କରିଛି, ତା’ର ପରିମାଣ
ସତରେ ଅଟଇ ନଗଣ୍ୟ
ମିଳୁଛି ବହୁ ଯଂତ୍ରାବଳି
ତେବେ ବି ଭାଷାକୁ ସଂଭାଳି
ପାରୁନାହାଂତି ଗୁଣୀଜନ
କେହି ତ ଖୋଜୁନି କାରଣ
ସ୍ଥିତି ନୁହଇ ପ୍ରୀତିପ୍ରଦ
ତେବେ ବି କାହାକୁ ବିପଦ
ଯାଉନାହିଁ ଏଠାରେ ଦେଖା
କିପରି ହେବ ଭାଷାରକ୍ଷା
ପଣରକ୍ଷା ଓ ମାନରକ୍ଷା
ଦେଶରକ୍ଷା ଓ ଭାଷାରକ୍ଷା
ଆଡ଼କୁ ଯାଉନାହିଁ ମନ
ଏ ନୁହେ ଉତ୍ତମ ଲକ୍ଷଣ
କେବଳ ଧନରକ୍ଷା କରି
ଏଠାରେ ବୋଲାଇ ସଂସାରୀ
ଲୋକେ ପାରଂତି ସୁଖେ ଚଳି
ମାନ ମର୍ଯାଦା ପଡ଼େ ଟଳି
ଅହମିକା ଓ ଅଦକ୍ଷତା
ମିଶାଇ ବହୁ ବ୍ୟକ୍ତି ସତ୍ତା
ସଂସାରୁ ଅକାଳେ ନିଶ୍ଚିହ୍ନ
ହେବାର ରହିଛି ପ୍ରମାଣ
ଧନବଂତ ହୋଇଲେ ଲୋଭୀ
ଆଗପଛ କେବେ ନ ଭାବି
କରେ ପ୍ରଚୁର କିଣାକିଣି
ସ୍ବଧର୍ମ, ସ୍ବଭାଷା ନ ଜାଣି
ଏପରି ଲୋକ ଉତ୍ପାଦନ
ଆଡ଼କୁ ବଳାଂତିନି ମନ
ତେଣୁ ତାଂକର ଭାଷା, ଜାତି
କରିପାରେନି ସମୁନ୍ନତି
ଯୁଗୋପଯୋଗୀ ବହୁ କାର୍ଯ
ଏଠାରେ ହୁଏନି ସ୍ବୀକାର୍ଯ
ଭାଂଗିଯାଏ ଲୋକଂକ ଧୈର୍ଯ
ଏ ରୀତି ଅତ୍ୟଂତ କଦର୍ଯ
Comments are closed.