Latest Odisha News

ଭାଷା ଭାଗବତ : ନିଜ ଭାଷାର ସଜ ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ନିଜ ଭାଷାର ସଜ ଧ୍ବନି
ନିଜେ କହି ଓ ନିଜେ ଶୁଣି
ଦେଉଁ, ପାଉଁ ସୂଚନା, ଜ୍ଞାନ
ତାହା ହିଁ ବିଶ୍ବାସଭାଜନ

କିଂତୁ ଲେଖିରଖିବା ପାଇଁ
ଅଶୁଣା ଶବ୍ଦ ଲୋଡ଼ୁଥାଇଁ
ଏହି ଦୋମୁହାଁ ଆଚରଣ
ଘଟାଏ ଭାଷାର ପତନ

ପୁରୁଣା ପୋଥିରୁ ଅଂଡାଳି
ଶବ୍ଦ ଆଣିଲେ କେତେ ଭଳି
ଲୋକଟେ ବୋଲାଏ ପଂଡିତ
ଅର୍ଜନ କରିଥାଏ ବିତ୍ତ

ଲୋକଭାଷାର ବ୍ୟବହାର
ନ କଲେ ଜ୍ଞାନର ବେପାର
କିପରି ହୁଏ ବୁଝ, ଜାଣ
କର କର୍ତବ୍ୟ ନିରୂପଣ

ଅଶୁଣା, ଅଜଣା ଶବ୍ଦର
ପାଲରେ ଲେଖକ ପ୍ରବର
ସହଜେ ଯାଉଛଂତି ପଡ଼ି
ସ୍ବଭାଷା ପାରୁନାହଁ ବଢ଼ି

ଶିକ୍ଷଣଶୀଳ ହେବା ପାଇଁ
ଯାହାର ନିଷ୍ଠା, ଚେଷ୍ଟା ନାହିଁ
ରକ୍ଷଣଶୀଳ ହେଇ ରହି
ପୁନର୍ଲିଖନ କରେ ବହି

ବଦଳାଇଲେ ମନୋଭାବ
ହୁଏତ ବିକାଶ ସଂଭବ
ନ ହେଲେ ଗତାନୁଗତିକ
ଦିଶିବ ଭାଷା ଆଲୋକ

କାମରେ କରିଲେ ବିଳଂବ
ଦୋହଲିଯାଏ ମେରୁଖଂବ
ସ୍ବପ୍ନକୁ କରଇ ସଂଭବ
ମନର ସାହସ ଓ ଦଂଭ

ଭାଷାରୁ ହଟିଲେ ଅଳିଆ
ଦିଶିବ ତା ନିଜ ଭଳିଆ
ଅଳିଆ ଆପେ ହଟେନାହିଁ
ଏ ସତ୍ୟ ବୁଝୁଁନୁ କିପାଇଁ ?

କଥା ରହେନି ବେଶି ବଂଚି
ତେଣୁ ଲେଖିବା ଶବ୍ଦ ସଂଚି
କଥା ରହେନି ଯେଣୁ ମନେ
ଲେଖି ରଖିବା ଏଣେତେଣେ

ମୋ ସ୍ମୃତି ତୁଳନାରେ ଲିପି
କାଳ ଓ ସ୍ଥଳ ସୀମା ଟପି
ହୋଇପାରୁଛି ସର୍ବବ୍ୟାପୀ
ତେଣୁ ତ ରହିଛି ଅଦ୍ୟାପି

Comments are closed.