ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
‘ ପାଠକ ‘ ଯେହେତୁ ସ୍ବାଧୀନ
ତାକୁ ତ ମିଳେନି ବେତନ
ସ୍ବେଚ୍ଛାରେ ସେ କରେ ପଠନ
କେବେ କେମିତି ହେଲେ ମନ
‘ ପାଠକ ‘ ନାମରେ ନିଯୁକ୍ତି
ପାଇ ନ ଥାଏ ଜଣେ ବ୍ୟକ୍ତି
ତେଣୁ ସେ ପଢ଼ିବାକୁ ବାଧ୍ୟ
ନୁହେ, ଏତିକି ହେଉ ବୋଧ୍ୟ
ସାହିତ୍ୟ ନ କରି ପଠନ
ସଂଭବ ବ୍ୟକ୍ତିତ୍ୱ ଗଠନ
ହେଉଛି ସ୍ପଷ୍ଟ ଦୃଶ୍ୟମାନ
କିଆଁ ଊଣା କରିବା ମନ ?
ଯିଏ ବି ଦିଏ ପୁରସ୍କାର
ତାହାର ଥାଏ ଅଧିକାର
କାହାକୁ ଦେବ କି ନ ଦେବ
ଏ ସତ୍ୟ କରୁଁ ଅନୁଭବ
‘ ପାଠକ ‘ ନାମେ ଏକ ପେସା
ଚଳିବ ଭାବି କଲେ ଆଶା
କିଏ ବା କରିବ ପୂରଣ ?
କରିହେଉନି ଅନୁମାନ
ପାଠକମାନଂକୁ ପଚାରି
ବହିଟେ ହୋଇଛି କିପରି
ଜାଣିବା ପାଇଁ ନାହିଁ ରୀତି
ତେଣୁ ତ ହୁଏ ଅଧୋଗତି
ଯାହା ଚଳାଉଁ ଯେଉଁପରି
ଦେଖାଏ ସ୍ବଭାବ ଆମରି
କାହାକୁ ଦେବା ଏବେ ଦୋଷ ?
କାହିଁକି ଏତେ ଅସଂତୋଷ ?
ଲେଖକ ହେଲେ ପୁରସ୍କୃତ
ହୁଏନି ସାହିତ୍ୟର ହିତ
ଏହା ଯେହେତୁ ମୂଳ ସତ୍ୟ
କେହି ହେବାନି ବିଚଳିତ
ଇଚ୍ଛାନୁସାରେ ଲେଖି ପଢ଼ି
ଭାଷାକୁ ହୁଏନାହିଁ ଗଢ଼ି
ଭାଷା ନ କଲେ ବ୍ୟବହାର
କ୍ରମଶଃ କମେ ତା ଆଦର
ଯାହା ପାଖରେ ଥାଏ ଧନ
ତାହାର ହୁଏ ଯାହା ମନ
ସେ କରେ ହୋଇଣ ନିର୍ଭୟ
ହୋଇପାରେନି ଜ୍ଞାନୋଦୟ
Comments are closed.