Latest Odisha News

BREAKING NEWS

ଭାଷା ଭାଗବତ : ସଭା ଆୟୋଜନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବ୍ୟକ୍ତି ହୁଅଇ ଯେବେ ବକ୍ତା
ବନି ଗାୟକ, ଅଭିନେତା
ସ୍ବରର ଉତ୍‌ଥାନ, ପତନ
ଦ୍ବାରା ତୋଷଇ ମନ, କାନ

କରିଲେ ମଂଚ ଆରୋହଣ
ବଦଳେ ଅଂଗ ସଂଚାଳନ
ମୁହଁରେ ସଂଭାଳି ଗାଂଭୀର୍ଯ
କରେ ଅନ୍ୟାନ୍ୟ ସବୁ କାର୍ଯ

ବକ୍ତା କହିଲେ ଶ୍ରୋତାଗଣ
ଶୁଣଂତି ସତେ କେତେ କ’ଣ
ତାହା ପଡ଼େନି କେବେ ଜଣା
ଖାଦ୍ୟପେୟ ହୁଏନି ଊଣା

ସଭାରେ ହୁଏ ଯାହା ସବୁ
ସେ କଥା ଏବେ ଥରେ ଭାବୁଁ
ହେଲା କି କାହାର ମଂଗଳ
ରୁଂଡ ହେଲେ ହେଁ ଲୋକଦଳ

ପ୍ରଥାନୁଯାୟୀ ଏତେ ସଭା
ଲୋକଂକୁ ଦିଶେ ମନଲୋଭା
ଯଦିଓ ମିଳେନି ସାରାଂଶ
ଲୋକେ ହୁଅଂତି ତା’ର ଅଂଶ

ସଭା କରିଲେ ଆୟୋଜନ
ସଂପୃକ୍ତ ହୋଇ ବହୁ ଜନ
କରଂତି ଧନ ଉପାର୍ଜନ
ଉଦ୍ଦେଶ୍ଯ ହୋଇଯାଏ ନ୍ୟୂନ

କେ କରେ ମଂଚ ସାଜସଜ୍ଜା
କୋଠା ବାହାରେ ଖଂଜେ ଧ୍ବଜା
କେ କରେ ସୁଖାଦ୍ୟ ରଂଧନ
କେ କରେ ପୁଷ୍ପ ବିତରଣ

ଏପରି ବହୁ ବ୍ୟବସାୟୀ
ସଭାକୁ ରହିଥାଂତି ଚାହିଁ
କେବେ ବି ସଭାର ନିଷ୍କର୍ଷ
ସୃଷ୍ଟି କରେନି ମନେ ହର୍ଷ

Comments are closed.