ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଚିଂତାର ଚକ୍ର ଅବିରତ
କରଇ ସାହିତ୍ୟ ରଚିତ
ଅପୂର୍ବ ଗଦ୍ୟପଦ୍ୟ ମିଶା
ସଂଚାର କରୁଛି ଭରସା
ଯଶଲାଳସୀ ବ୍ୟକ୍ତିଗଣ
ହୁଅଂତି ଗ୍ଳାନିର କାରଣ
ଯଂତ୍ରର ସ୍ବୈଚ୍ଛିକ ପ୍ରୟୋଗ
ଯୋଗୁଁ ହିଁ ଆସଇ ଦୁର୍ଯୋଗ
ପରସ୍ପରକୁ ସଂଶୋଧନ
କଲେ ବଢ଼େ ଭାଷାର ମାନ
କରିବା ‘ ସଂଶୋଧନ ସେବା ‘
ସଭିଏଁ ଉପକୃତ ହେବା
ଗ୍ରହଣଶୀଳ ହେଲେ ସୁଖୀ
ପ୍ରତିବାଦୀ ସର୍ବଦା ଦୁଃଖୀ
କରିଲେ ଦୁଃଖ ଉତ୍ପାଦନ
ଦୁଃସ୍ବପ୍ନ ଦେଖି ବିତେ ଦିନ
ପାଠକେ କରିଲେ ପସଂଦ
ଲେଖକ ମନରେ ଆନଂଦ
ଆପେ ଆପେ ହୁଅଇ ଜାତ
ସାହିତ୍ୟ ତହିଁରୁ ସର୍ଜିତ
ସାମାନ୍ୟ ସାଂସ୍କୃତିକ ଜ୍ଞାନ
ନ ଥାଇ ଆତ୍ମ-ବିଜ୍ଞାପନ
କରଂତି ଏଠି କବିଗଣ
ଜାତିକୁ ବଡ଼ ଅପମାନ
ଦିନଲିପି ଲିଖନ ଭଳି
ସାହିତ୍ୟ ପାରେନାହିଁ ଚଳି
ନ ଥିଲେ ପ୍ରୟାସ, ଅଭ୍ୟାସ
ଭାଷାର ସତ୍ତା ହୁଏ ନାଶ
ପ୍ରେମିକା ପାଇଁ ଲେଖି ଚିଠି
କବିତା ବୋଲି ଦେଲେ ବାଂଟି
କବି ବି କରେ ପ୍ରତାରଣା
ଏ ସତ୍ୟ ନୁହଇ ଅଜଣା
ଦର୍ପଣେ ଦେଖି ନିଜ ମୁଖ
ଯାହାକୁ ମିଳିଥାଏ ସୁଖ
ନିଜ ସହିତ ନିଜେ ଥାଏ
ଯାଚ୍ଛାତା ଲେଖି ତୃପ୍ତି ପାଏ
Comments are closed.