ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଗୋମାତାଠାରୁ ଦୁହିଁ କ୍ଷୀର
ଗୋପାଳ ଚଳାଏ ବେପାର
ବାଛୁରି ରହିପାରେ ଜିଇଁ
ବାସିଭାତ ତୋରାଣି ପିଇ
ସ୍ବମାତା ଥନ ଗଲେ ଶୁଖି
ଶିଶୁଟେ ଗୁଂଡ କ୍ଷୀର ଢୋକି
ମାଆର ମୁହଁକୁ ନିରେଖି
ସତରେ ହୋଇଥାଏ ସୁଖୀ
ଗୋମାତା, ସ୍ବମାତା ମଧ୍ୟରେ
ଥିଲେ ପାର୍ଥକ୍ଯ ଥାଇପାରେ
କିଂତୁ ଉଭୟେ ସମଧର୍ମା
ବିସ୍ମୟକର କରିତ୍କର୍ମା
ସ୍ବମାତା, ଗୋମାତା ଉଭୟ
ବିଶ୍ବର ବିଚିତ୍ର ବିସ୍ମୟ
ସ୍ବମାତା ରହେ ବୃଦ୍ଧାଶ୍ରମେ
ଗୋମାତା ଗଳି କଂଦି ଭ୍ରମେ
ଗୋମାତା ଝରାଏନି କ୍ଷୀର
ଗୋପାଳ କରଇ ବାହାର
ଭାଷାରେ ଥାଏ ସର୍ବସାର
ଲେଖକେ କରଂତି ବାହାର
ଥିଲେ ହେଁ ଅଗଣିତ ବହି
ଏମାନଂକର ଗୁଣ ଗାଇ
କେଉଁଠି କରୁନୁ ପ୍ରୟୋଗ
ତେଣୁ ତ ଗିଳୁଛି ଦୁର୍ଯୋଗ
ଲେଖକେ ଭାଷାଖେଳ ଖେଳି
ପାରଂତି ଦୁଃଖରୁ ମୁକୁଳି
ମାତୃବଂଦନା ବାରଂବାର
କରି ହୋଇନି ଉପକାର
ସ୍ବୟଂବର୍ଧିତ ଭାଷା ନାହିଁ
କହିଲେ, ଲେଖିଲେ ବଢ଼ଇ
ଯାହା ଆମ ହାତର କାମ
କରିବା ପାଇଁ ହେଉଁ କ୍ଷମ
କାଳ ସହିତ ହେଲେ ଯୋଡ଼ି
ଆଗକୁ ପାରିବାନି ବଢ଼ି
ଉଚ୍ଚକୁ ପାରିବାନି ଚଢ଼ି
ଭୂଇଁରେ ରହିଥିବା ପଡ଼ି
Comments are closed.