ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଖରା, ବରଷା ଆଉ ଶୀତ
କଲେ ହେଁ ପୃଥିବୀର ହିତ
ମନୁଷ୍ଯ ହୋଇ ବିଚଳିତ
ଋତୁଂକୁ କରଇ ଚର୍ଚିତ
ସତେ ଯେମିତି ଚର୍ଚା କଲେ
ଋତୁର ଚରିତ୍ର ବଦଳେ
ଏହା ତ ହୋଇନି ସଂଭବ
କିଆଁ କରୁନୁ ଅନୁଭବ ?
ପ୍ରକୃତି ନିଜ ମାର୍ଗ ଧରି
ଆସେ ଓ ଯାଏ ପୁଣି ଫେରି
ତାହାକୁ ନ ଦେଇ ଆତିଥ୍ୟ
କିଆଁ ବଖାଣୁ ଏତେ ତଥ୍ୟ
ଯେ ଯାହା ଦିଅଂତି ପଠାଇ
ତାହା ହିଁ ନିତି ଛାପି ଦେଇ
କହୁଛୁଁ ଯାହାକୁ ଖବର
ତାହାକୁ କେ କରେ ନିର୍ଭର ?
ଅନାବଶ୍ୟକ ତଥ୍ୟାବଳି
ସଂବାଦ ରୂପେ ଯାଏଚଳି
ତେଣୁ ତ ବାସ୍ତବ କାହାଣୀ
ପାଠକେ ପାରଂତିନି ଜାଣି
ସୂର୍ଯ ଦେଲେ ପ୍ରଚଂଡ ଖରା
ଗଛ ତଳ ତ ଛାଇ-ଭରା
ସେଠାରେ ରହି ଦୁଇ ଘଂଟା
ଖରାକୁ କରିପାରୁଁ ଥଟ୍ଟା
ଋତୁ ବର୍ଣନା କରି କରି
ଅସଂଖ୍ୟ ପୃଷ୍ଠା ଦେଲେ ଭରି
କାହାର ହୋଇନାହିଁ ହିତ
ଏ କଥା ଏବେ ଭାବଂତୁ ତ
ଯାହା ବି ହୋଇଅଛି ଲେଖା
ତାହା ତ ହେଉନି ଅବିକା
ତେବେ ବି ପୂର୍ବରୀତି ଧରି
ଅତୀତ ପାରୁନୁ ପାସୋରି
ଋତୁ ନୁହଇ ବାରଣୀୟ
ତେଣୁ ସ୍ବୀକାର ସ୍ପୃହଣୀୟ
ଏତିକି ହେଲେ ଗ୍ରହଣୀୟ
ମଣିଷ ପାଇବ ବିଜୟ
ପ୍ରକୃତି ସହ କଲେ ଯୁଦ୍ଧ
ଜୀବନ ପଥ ଅବରୁଦ୍ଧ
ହେବା ହିଁ ଅଟେ ସ୍ବାଭାବିକ
ବୁଝିଲେ ଚେଇଁବ ବିବେକ
Comments are closed.