ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୨
ସବୁ ତ ହେଲାଣି ନୂତନ
କିଛି ବି ନାହିଁ ତତ୍କାଳୀନ
ଇଂଧନ ରଂଧନ ଭୋଜନ
ପରିଧାନ ଓ ପ୍ରସାଧନ
ଲୋକଂକ ଗମନାଗମନ
ନିମଂତେ କେତେ ଭଳି ଯାନ
ଗାୟନ ନର୍ତନ ଭଜନ
କୀର୍ତନ ପରି କାର୍ଯମାନ
କେଉଁଟି ନାହିଁ ପୂର୍ବ ଭଳି
ସବୁ ତ ଗଲାଣି ବଦଳି
ଏହି ପ୍ରସଂଗ ଧରି କଳି
କଲେ ହେବନି ଏଠି ଚଳି
ଏହି ଧାରାରେ ଏବେ ଲେଖା
ନୂଆ ରୂପରେ ଦିଏ ଦେଖା
ଏହା ତ କାଳର ବିଧାନ
କରିବା ଆନଂଦେ ଗ୍ରହଣ
ନୂତନ ଧରଣ ଲିଖନ
କରିଲେ ଜନସାଧାରଣ
ଆମର ଭାଷାର ସମ୍ମାନ
ବଢ଼ିବ ନିଶ୍ଚେ ବହୁଗୁଣ
ଏହି ଚିଂତାକୁ ଦେଉଁ ଧ୍ୟାନ
ସ୍ବଭାଷୀ ସବୁ ଜନଗଣ
ସହଜ ସ୍ପଷ୍ଟ ହେଉ ଭାଷା
ବଢ଼ିବ ଲୋକଂକ ଭରସା
ଭାଷା ହୋଇଲେ ଅପହଂଚ
ଖାଇ ପିଇ ଓ ଶୋଇ ବଂଚ
ଚଳାଇ ରଖ ଉଚ୍ଚବାଚ
ଗଢ଼ନି ଚଢ଼ନି ପାହାଚ
ଲିଖନ ମୁଦ୍ରଣ ପଦ୍ଧତି
କରିଛି ବହୁତ ଉନ୍ନତି
ସ୍ବଭାଷା କରିନି ତା ପ୍ରାପ୍ତି
ସ୍ଥଗିତ ହୋଇଛି ଉନ୍ନତି
ସଂପୂର୍ଣ ସମ୍ପୂର୍ଣ୍ଣ ସମାନ
ହେଲେ ହେଁ କିପରି ବନାନ
ଲିପିକୁ କରେ ପରିଚ୍ଛନ୍ନ
ବୁଝିବା ଭାଷାଭାଷୀଗଣ
ଯାହା ବି ଅଟେ କଷ୍ଟସାଧ୍ୟ
ଅସ୍ପଷ୍ଟ ଜଟିଳ ଦୁର୍ବୋଧ୍ୟ
କରିଲେ ସେ ଧାରା ବର୍ଜନ
ବଢ଼ିବ ସ୍ବଭାଷାର ମାନ
ଏ କାମ ନୁହେ ବ୍ୟକ୍ତିଗତ
ଅନେକେ ହୁଅଂତୁ ସଂପୃକ୍ତ
ଅବଶ୍ଯ ହେବ ସର୍ବହିତ
ଆମେ ରହିଲେ ଭାଷାସକ୍ତ
ସ୍ବଭାଷୀ ଜନତାର ସ୍ବର
ପଡ଼ୁନି କାନରେ କାହାର
ଯେ ପାରେନାହିଁ କିଛି ଭାବି
ତାହାକୁ ଶୁଣାଉଛୁଁ ଦାବି
ଜନତା ହେବାରୁ ନିଷ୍କ୍ରିୟ
ହୋଇପାରୁନି ଜ୍ଞାନୋଦୟ
ପରସ୍ପରର ପ୍ରତିଦ୍ବଂଦ୍ବୀ
ହୋଇ ଜିଇଁଛୁଁ କାଂଦି କାଂଦି
ଜଣାଇ ତୁଚ୍ଛ ପ୍ରତିକ୍ରିୟା
ଲୋଡ଼ୁଛୁଁ ଅନୁଗ୍ରହ ଦୟା
ଆମର ଏପରି ସ୍ବଭାବ
ଯୋଗୁଁ ଭୋଗୁଛୁଁ ପରାଭବ
ସଂସାର ବଦଳିବା ପାଇଁ
ସଭିଏଁ ରହିଛୁ ଅନାଇ
ନିଜେ ବଦଳିବାକୁ ଡରି
କିଛି ବି ପାରୁନାହୁଁ କରି
Comments are closed.