Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୯ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ନୀଳାଦ୍ରିନାଥ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ବିଶେଷ ଭାବରେ ଉପସ୍ଥାପିତ କରିବା ପରେ, ଆଜି ନୀଳାଦ୍ରିନାଥ କହିବାର ତାତ୍ପର୍ଯ୍ୟ ହେଲା, ସବୁ ରହସ୍ୟର ମହାନାୟକ ଶ୍ରୀଜଗନ୍ନାଥ ମୁଖ୍ୟତଃ ନୀଳାଦ୍ରିକନ୍ଦରରେ ବା ନୀଳାଚଳରେ ହିଁ ସମସ୍ତ ଲୀଳା କରୁଛନ୍ତି । ଲୀଳାର ଆରମ୍ଭ ନୀଳପର୍ବତରେ ନୀଳମାଧଵ ରୂପରେ, ନୀଳକାନ୍ତମଣି ଆଭା ନେଇ ବିରାଜମାନ କରିବା, ତାପରେ ନୀଳଚକ୍ର ଶୋଭିତ ଶ୍ରୀମନ୍ଦିରରେ ବିରାଜମାନ ହେବା।ନୀଳଜଳ ଯୁକ୍ତ ମହୋଦଧି ତଟରେ ନୀଳଶୈଳରେ ଅବସ୍ଥାନ ପୂର୍ବରୁ ନୀଳସାଗରରେ ବ୍ରହ୍ମଦାରୁ ରୂପେ ପ୍ରକଟ ହେବାର ଲୀଳା। ଶେଷରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ବ୍ରହ୍ମl
ଙ୍କୁ ନିମନ୍ତ୍ରଣ କରି ମନ୍ଦିର ପ୍ରତିଷ୍ଠା ପୂର୍ବରୁ ରାଜା ଗାଲମାଧବଙ୍କ ସହ ବିବାଦ ଓ ବିଷ୍ଣୁ ଶକ୍ତି ସହ ତନ୍ତ୍ରଶକ୍ତି ର ମିଳନ ଲୀଳା। କାରଣ ରାଜା ଗାଲମାଧବ ବିରଜାକ୍ଷେତ୍ର ନିବାସୀ ଥିବାରୁ ତନ୍ତ୍ରଶକ୍ତିର ଉପାସକ ଥିଲେ ଓ ଶ୍ରୀମନ୍ଦିରରେ କ୍ଷେତ୍ରଶ୍ବରୀ ଭାବରେ ବିମଳାଙ୍କ ଉପାସନା ଆରମ୍ଭ କରିଥିଲେ। ମହାରାଜ ଇନ୍ଦ୍ରଦ୍ୟୁମ୍ନ ପରମ ବୈଷ୍ଣବ। ରାଜା ଗାଲମାଧବ ଶାକ୍ତ । ଦୁହିଁଙ୍କୁ ଏକାଠି କରାଇବାର ଲୀଳା ଏହି ନୀଳକନ୍ଦରରେ ହିଁ ସମାହିତ ହୋଇ ଏକ ନୂତନ ଧାରା “ଦୁର୍ଗାମାଧବ ” ଉପାସନାର ପ୍ରଚଳନ ହୋଇଛି। ଏଠାରେ ଶ୍ରୀଜଗନ୍ନାଥ ନିଜ ଯୋଗମାୟା ଶକ୍ତିର ସ୍ୱତନ୍ତ୍ରତା ପ୍ରତିପାଦିତ କରିବାର ଲୀଳା କରି ମା ବିମଳାଙ୍କ ଲୀଳାର ପ୍ରକଟ କରାଇଛନ୍ତି।

ତେଣୁ ସେ ଜଗତର ନାଥ ଜଗନ୍ନାଥ ହେଲେ ମଧ୍ୟ ଲୀଳା ଦୃଷ୍ଟିରୁ ବିଶେଷ ଭାବରେ ନୀଳାଦ୍ରୀନାଥ ଭାବରେ ଭକ୍ତଙ୍କ ପାଖରେ ପରିଚିତ। ଏହି ନୀଳାଦ୍ରୀରେ ସେ ବିରାଜମାନ କରିଛନ୍ତି ରତ୍ନସିଂହାସନରେ ଏ ରତ୍ନସିଂହାସନ କ’ଣ ସତରେ ରତ୍ନରେ ନିର୍ମିତ। ନା ଏହାବି ପ୍ରଭୁଙ୍କର ଲୀଳା ସାଧାରଣ ରତ୍ନଠାରୁ ଅନେକ ଗୁଣରେ ଅଧିକ ଚାରି ରତ୍ନସ୍ୱରୂପ ଆଧାରରେ ଏ ସିଂହାସନ ପ୍ରତିଷ୍ଠିତ ଯଥା ଧର୍ମ, ଜ୍ଞାନ, ବୈରାଗ୍ୟ, ଓ ଐଶ୍ଵର୍ଯ୍ୟ। ଏହି ସିଂହାସନର ଅଷ୍ଟଦିଗରେ ଆଠ ପାରିଷଦ ଯଥା ନନ୍ଦ, ସୁନନ୍ଦ, ପ୍ରଚଣ୍ଡ, ଚଣ୍ଡ, ମହାବଳ, ବଳ, କୁମୁଦ ଓ କୁମୁଦେକ୍ଷଣ। ସମ୍ମୁଖରେ ବିରାଜମାନ ସ୍ୱୟଂ ଗରୁଡ଼ ମହାରାଜ। ତେଣୁ ଏହି ନୀଳକନ୍ଦର ଅତ୍ୟନ୍ତ ରହସ୍ୟମୟ ଆହୁରି ରହସ୍ୟମୟ ପ୍ରଭୁଙ୍କର ପୂଜାବିଧି, ନିତି କାନ୍ତି, ଯାନୀଯାତ୍ରା ଇତ୍ୟାଦି। ବାସ୍ତବରେ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ଉପଲବ୍ଧି କରିବା ପାଇଁ ନୀଳାଦ୍ରିନାଥଙ୍କୁ ନିରୀକ୍ଷଣ କରିବା ଏକାନ୍ତ ପ୍ରୟୋଜନ। ଏଠାରେ ଭାଗବତ ବର୍ଣ୍ଣିତ ଏକ ଶ୍ଳୋକ ଯାହାକି ପୂଜା ବିଧିର ବର୍ଣ୍ଣନା ଦିଏ, ତାହା ପ୍ରମାଣିତ କରେ ବେଦ ପୁରୁଷ ଶ୍ରୀଜଗନ୍ନାଥ, ତ୍ରିଧାରାର ପ୍ରତୀକ ନୀଳାଦ୍ରିନାଥ। କାରଣ ପ୍ରଭୁ ଏଠାରେ ନିଜ ଭକ୍ତଙ୍କୁ ସ୍ୱତନ୍ତ୍ରତା ଦେଇଛନ୍ତି ନିଜ ଅନୁକୂଳ ମତରେ ପୂଜା ବିଧି ପାଳନ କରିବା ପାଇଁ ଯଥା
“ବୈଦିକସ୍ଥାନ୍ତ୍ରିକୋମିଶ୍ର ଇତି ମେ ତ୍ରିବିଧୋ ମଖଃ, ତ୍ରୟାଣl ମୀସ୍ପିତେନୈବ ବିଧିନା ମାଂ ସମର୍ଚ୍ଚୟେତ “(ଭାଗବତ ଏକାଦଶ ସ୍କନ୍ଦ ୨୭/୭)। ଅର୍ଥାତ ହେ ଭକ୍ତ ମୋ ପୂଜା ତ୍ରିବିଧ ବୈଦିକ, ତାନ୍ତ୍ରିକ ଓ ମିଶ୍ରିତ। ତେଣୁ ତୁମ ନିଜ ଇଛା ଅନୁକୂଳରେ ମୋର ପୂଜା ଆରାଧନା କର।ଏହାହିଁ ଶ୍ରୀଜଗନ୍ନାଥଙ୍କୁ ପରଂବ୍ରହ୍ମ କହିବାର ମୂଳ ତତ୍ତ୍ୱ। ସେ ସବୁଥିରେ ନିଆରା। କିନ୍ତୁ ଭକ୍ତ ବତ୍ସଳ, ପତିତଉଦ୍ଧାରକାରି। ଆଗାମୀ ସମୟରେ ଚାରି ଯୁଗରେ ପ୍ରଭୁଙ୍କର ଲୀଳା (ଆକାର, ରଙ୍ଗ, ରୂପ ଓ ପୂଜା ବିଧି ) ଆଲୋଚନା କରିବା। ଏବେ ଆମେ ପାର୍ଥନା କରିବା ଆମ ଆରାଧ୍ୟ ନୀଳାଦ୍ରିନାଥ ଶ୍ରୀଜଗନ୍ନାଥଙ୍କୁ “ନୀଳାଭ୍ରଶ୍ୟାମଳଂ ବିଷ୍ଣୁ ଶଙ୍ଖେନ୍ଦୁଧବଳଂ ବଳମ୍, ରକ୍ତଂ ସୁଦର୍ଶନଂ ଚକ୍ରଂ ସୁଭଦ୍ରା କୁଙ୍କୁମାରୁଣାମ୍ “(ସ୍କନ୍ଦ ପୁରାଣ )। ପୁଣି ସେହି ରହସ୍ୟମୟ ପ୍ରଭୁଙ୍କୁ ନୀଳାଦ୍ରିନାଥ ଭାବରେ ନମନ କରିବା: “ଜଗଦାନନ୍ଦ କନ୍ଦାୟ ପ୍ରଣତତ୍ରିହରାୟ ଚ, ନୀଳାଚଳ ନିବାସାୟ ଜଗନ୍ନାଥାୟ ତେ ନମଃ )।”

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Leave A Reply

Your email address will not be published.