Latest Odisha News

ଭାଷା ଭାଗବତ : ସବୁ କାମ ବୃଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ

ଝଡ଼, ବାତ୍ୟା,ବତାସ ଆସି
ଏଠି ବହୁତ କିଛି ନାଶି
ସହଜେ ଯାଇଥାଂତି ଖସି
କେବେ ବୋଲାଂତିନାହିଁ ଦୋଷୀ

ଲୋକେ ଲୋକଂକ ସହ ମିଶି
ସଖା ହୁଅଂତି ବସି, ହସି
ତା’ପରେ ଗଲେ ସୁଦ୍ଧା ଖସି
କେବେ ତ ହୁଅଂତିନି ଦୋଷୀ

ସଂପର୍କ ଯୋଡ଼ା, ଭଂଗା ଖେଳ
ଖେଳି ମଣିଷ ସାରେ ବେଳ
ସୁପ୍ରୀତି, ବଳ ଓ ସଂବଳ
ପଶ୍ଚାତ୍ତାପ ତହିଁର ଫଳ

କେହି ବି କାହାଠାରୁ କିଛି
ସତରେ କ’ଣ ବା ଶିଖିଛି
ନିରବ ରହି କଲେ ଚିଂତା
ବୁଝଂତା ସବୁ ବାସ୍ତବତା

ଜଣେ ଜଣକୁ ବ୍ୟବହାର
କରିବା ଉତ୍ତାରୁ ସଂହାର
କରିଚାଲିଲେ ନିରଂତର
ହୁଅଂତି ଅଶାଂତ, ବର୍ବର

ପ୍ରତ୍ୟେକେ ହୋଇ ଶାଂତିପ୍ରେମୀ
ଦେଖାଂତି କପଟ ଭଦ୍ରାମି
ମୁଂଡରେ ମଳି ଥାଏ ଜମି
ଏପରି ତାଂକର ଗୁଂଡାମି

ଏବେ ଶୁଭିଲେ ମିଠା କଥା
ତତ୍କାଳ ଘୂରେ ଯଦି ମଥା
ବ୍ୟକ୍ତିକୁ ମିଳେ ନିରାପତ୍ତା
ହେଲେ ବି ସବୁ କାମ ବୃଥା

କଥା ହୋଇଲେ ପ୍ରଚାରିତ
କର୍ତବ୍ୟ ହୁଏ ପ୍ରତାରିତ
ଏଣୁ ଏଠାରେ କର୍ମୀଗଣ
ହୋଇଥାଆଂତି ଉଦାସୀନ

ଚଳୁଛି ବକ୍ତବ୍ୟ ତର୍ଜମା
ନିକମା ପାଏ ସର୍ବକ୍ଷମା
କର୍ତବ୍ୟପରାୟଣ ବ୍ୟକ୍ତି
ପାଏନି ଜଂଜାଳରୁ ମୁକ୍ତି

ପ୍ରାପ୍ୟ ନ ଦେଇ, ପୁରସ୍କାର
ଉପଢୌକନ, ଉପହାର
ଯାହାକୁ ଦେଉଁ ବାରଂବାର
ସେ କରେନାହିଁ ଉପକାର

ଖୁଆଏ ସୁସ୍ବାଦୁ ଆହାର
ଶୁଣାଏ ବଚନ ପ୍ରହାର
ଏପରି ସ୍ବଭାବ ତାହାର
ଯିଏ ଯାହା ଚାହୁଁଛ, କର

ଯେଉଁଠି ପଦେ ଅଧେ କଥା
କହିଲେ ତୁଟଇ ବଂଧୁତା
ତା ଥିବା, ନ ଥିବା ସମାନ
ଦୁହିଂକ ପ୍ରତି ଅପମାନ

ଆସ୍ଥା ବିଶ୍ବାସ ଗଲେ ଭାଂଗି
କେହି ନୁହଂତି କାହା ସଂଗୀ
କେବଳ ସଂପର୍କର ଭଂଗୀ
ହୁଏ ସବୁଠି ବହୁରଂଗୀ

Comments are closed.