ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମିଳେନି କାନମୋଡ଼ା, ବିଧା
ତେବେ ବି କାହିଁ ଅସୁବିଧା ?
ଯେ ଯାହା ପାରୁଁ, ତାହା ଲେଖୁଁ
ନିଜେ ହିଁ ନିଜଠାରୁ ଶିଖୁଁ
ସମାଜ ତା ବାଟରେ ଯାଏ
କାହାକୁ ବାଟ ନ ବତାଏ
ଏକାକୀ ହୋଇ, ଦେଲେ ଲେଖି
ଯେ କେହି ହୋଇପାରେ ସୁଖୀ
ଲୋକଂକ କଥା ପଡ଼େ କାନେ
ନ ସଂଚି ସବୁ ନିଜ ମନେ
କରିଲେ ମନୋନୀତ କାମ
ତା ହୁଏ ତା ପାଇଁ ଉତ୍ତମ
‘ ଆଜ୍ଞା ଠିକ୍ ‘ ତ ଲେଖିପାରୁଁ
କିଆଁ ଏତେ ଆପତ୍ତି କରୁଁ ?
ମନକୁ କଲେ ଶୃଂଖଳିତ
ହୋଇବ ଦୁଶ୍ଚିଂତା-ରହିତ
ଅନ୍ୟର କଥାକୁ ପ୍ରାଧାନ୍ୟ
ଦେଲେ ହିଁ ବଢ଼ିବ କଷଣ
ନିଜେ ହିଁ ନିଜର ସୁରକ୍ଷା
ନିମଂତେ ନେଉଁ ନୂଆଁ ଦୀକ୍ଷା
ଅଧିକ ହେଲେ ଫୋନ୍-ପ୍ରୀତି
ବ୍ୟକ୍ତିର ହୋଇଥାଏ କ୍ଷତି
କ୍ଷତି ବଢ଼ିଲେ ସୁଖ, ଶାଂତି
ତତ୍କାଳ ଉଭେଇ ଯାଆଂତି
ନ କଲେ ନିରବ ସାଧନା
କାହାକୁ ସୁଖ୍ୟାତି ମିଳେନା
ଏତିକି ଏବେ ମନେ ରଖି
ରହୁଁ ସାଧନା ସହ ଲାଖି
ଯାହାର ନ ଥାଏ ବିକଳ୍ପ
ତାହା କଲେ ବେଶି କି ଅଳ୍ପ
ବଢ଼ଇ ବ୍ୟକ୍ତିର ଦକ୍ଷତା
ବଳିଷ୍ଠ ହୁଏ ତା’ର ସତ୍ତା
ବ୍ୟକ୍ତିଟି ହେଲେ ହେଁ ଏକକ
ବ୍ୟକ୍ତିତ୍ୱ ସର୍ବଦା ଅନେକ
ରୂପାକୃତିର ଯତ୍ନ ନେଇ
ପାରଇ ବହୁମୁଖୀ ହୋଇ
ପାଠକେ ଯଦି ନ ପଢ଼ଂତି
ଲେଖକ ପାଇଁ ତାହା ଶାସ୍ତି
ପାଠକେ କରିଲେ ପଠନ
ଲେଖାକୁ ମିଳଇ ସମ୍ମାନ
ନ ପଢ଼ି, ନିଂଦା କି ପ୍ରଶଂସା
କରିଲେ ବଢ଼ଇ ଦୁର୍ଦଶା
ଲେଖକେ କର୍ତା, ବହି କୃତି
ଉଭୟେ ଲୋଡ଼ଂତି ସ୍ବୀକୃତି
ଦଳେ ଜଣଂକ ପଛୁଆଳ
ହୋଇ ଦିଶଂତି ମାଳ ମାଳ
ଖୋଜିଲେ ବି ମିଳଂତିନାହିଁ
ସ୍ବାଧୀନ ଚିଂତାକାରୀ କେହି
ପ୍ରାଚୀନ ସହିତ ନୂତନ
ଉଭୟ କରିଲେ ଗ୍ରହଣ
ଲୋକଂକ ବଂଧନ ମୋଚନ
ହୁଏ ଓ ଘଟେ ଉନ୍ନୟନ
Comments are closed.