Latest Odisha News

BREAKING NEWS

ଭାଷା ଭାଗବତ : ଚିତ୍ତ-ଗତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଶଂକା, ସଂଦେହ ଥାଏ ମନେ
ନିଶ୍ଚିଂତ ହୁଏନାହିଁ କ୍ଷଣେ
ଏହି ଦୋଳାୟମାନ ସ୍ଥିତି
ଯୋଗୁଁ ସଂଭବ ଚିତ୍ତ-ଗତି

ଭାଷା ତ ସବୁଠି ଜଡ଼ିତ
ଚିହ୍ନାଇଦିଏ ମିଛ, ସତ
ଭାଷା ନୁହଇ ବହିର୍ଭୂତ
ରହଇ ସମଗ୍ର ସହିତ

ଯାହା ମଣିଷ ଭାବେ, ହେବ
ତାହା ତ ହୋଇନି ସଂଭବ
ତେଣୁ ତ ଚିଂତା ଓ ଭାବନା
ସକାଶେ ନାହିଁ କଟକଣା

ଚିଂତା, ଭାବନା ହେଲେ ବ୍ୟକ୍ତ
ହୁଏ ସ୍ବୀକୃତ, ଅସ୍ବୀକୃତ
ମନବାସୀ ଭାବନା, ଚିଂତା
ନିମଂତେ ଲୋଡ଼ା ନିରବତା

ଚିଂତା ପାଠକ କିଂବା ଶ୍ରୋତା
କେ ଜଣେ ସତରେ ଥାଆଂତା
ବୋଲି କରିଲେ ସୁଦ୍ଧା ଆଶା
ତିଷ୍ଠି ଅଛଂତି ସବୁ ଭାଷା

ଭାଷା-ବିହୀନ ରାଜନୀତି
ଧର୍ମ, ବିଜ୍ଞାନ, ଅର୍ଥନୀତି
ଏଯାଏଁ ଦେଇନାହିଁ ଦେଖା
ଭାଷା ତ ଏ ସବୁର ସଖା

ଭାଷାର ଏହି ସମଗ୍ରତା
ଯୋଗୁଁ ହିଁ ରହିଛି ସମତା
ଭାଷା ହେଲେ ପ୍ରସଂଗାଶ୍ରିତ
କ୍ରମଶଃ ହୁଏ ଅଂତର୍ହିତ

ଯାହା ବି ହୁଏ କି ନ ହୁଏ
ଉଭୟ ବାସ୍ତବ ବୋଲାଏ
ମଣିଷ ଜନ୍ମତଃ ଭାବୁକ
ତେଣୁ ଭାବନା ସ୍ବାଭାବିକ

ଭାବନା ନ ପାଇଲେ ରୂପ
ହୁଏ ମନରେ ସ୍ମୃତି ସ୍ତୂପ
ମନରେ ହୁଏ ଯେଣୁ ଜାତ
ମନରେ ହୋଇଥାଏ ମୃତ

Leave A Reply

Your email address will not be published.