ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଯଶସ୍ବୀଂକୁ ପୁଣି ପ୍ରଶଂସା
ସଂଚାର କରେନି ଭରସା
ଶୁଣାକଥା କହିଲେ ପୁଣି
ଘଟଇ ପ୍ରତିଭାର ହାନି
ନିଂଦିତକୁ କଲେ ବି ନିଂଦା
ହୁଏନି କିଛି ଅସୁବିଧା
ନିଂଦୁକ ଅବା ପ୍ରଶଂସକ
ଜଣା ପଡ଼େ କେମିତି ଲୋକ
କରିଲେ ନାମର ପ୍ରଚାର
କାମକୁ ନ କରି ଆଦର
ସୁପରିଚିତ ହେଲେ ବ୍ୟକ୍ତି
ବଢ଼େନି ସାହିତ୍ୟର ଶକ୍ତି
ବହୁ ସ୍ତରରେ ଭାଷା ଚଳେ
ଲୋକଂକ ପ୍ରୟୋଜନ ବଳେ
କେବଳ ପରଂପରା ରକ୍ଷା
ନିମଂତେ ନେଇନି କେ ଦୀକ୍ଷା
ଯାହା ଚଳିଲା କେତେ ଯୁଗ
ନ ହେଲେ ତହିଁର ପ୍ରୟୋଗ
ଆପେ ଆପେ ପାଇବ ଲୋପ
କରିବାନାହିଁ ମନସ୍ତାପ
ଚଳିଲା ଯାହା କେତେ ଦିନ
ତାହା ହୋଇବ ଚିରଂତନ
ଏପରି ଅଦ୍ଭୁତ ବିଚାର
କରେନି ଭରସା ସଂଚାର
ଭାଷୀଏ ହରାଇଲେ ଆସ୍ଥା
ହୁଏ କିପରି ଦୁରବସ୍ଥା
ଲୋକେ ତହିଁର ମୂକ ସାକ୍ଷୀ
କିଛି ବି କରିପାରିଲେ କି ?
କରୁଁ ଯାହାର କୀର୍ତିଗାନ
ସେ ଯଦି ସତେ ମୂଲ୍ୟବାନ
ନିଶ୍ଚୟ ଥାଆଂତା ପ୍ରମାଣ
କିଂତୁ ଦିଶୁନି ଚିହ୍ନ ବର୍ଣ
ମୂଳ ଲେଖାରେ କଟା, ଯୋଡ଼ା
କ୍ରମଶଃ ହେଉଛି ଅଲୋଡ଼ା
ଅସଂଶୋଧିତ ବହୁ ଲେଖା
ବହି ରୂପେ ଦିଅଂତି ଦେଖା
ଲିପି-ସଂଗତ ଯଂତ୍ରାବଳି
ନ ଖଂଜି, ହେବନାହିଁ ଚଳି
ଅତି ସହିଷ୍ଣୁ ମନୋଭାବ
ଯୋଗୁଁ ଭୋଗୁଛୁଁ ପରାଭବ
ଅଭ୍ୟାସ-ଆଶ୍ରିତ ସାହିତ୍ଯ
ହୋଇନି ଯେହେତୁ ଆଦୃତ
ପୁନଶ୍ଚ କରିବା ବିଚାର
କିପରି ଲେଖା ଦରକାର
ଅଭ୍ୟାସ ହେଲେ ବଳଶାଳୀ
ଭାଷା ବି ଯାଇଥାଏ ଟଳି
ହୁଏନି ତାହାକୁ ସଂଭାଳି
ଯାଚ୍ଛାତା ହୋଇ ଯାଏ ଚଳି
ଏବେ ବି ଅସଂଖ୍ୟ ଲେଖକ
ସଂପାଦକ ଓ ପ୍ରକାଶକ
ପାଠ-ଶୋଧନ ପ୍ରତି ଧ୍ୟାନ
ବିନା କରଂତି ପ୍ରକାଶନ
ଯଂତ୍ର ହୋଇ ଭାଷାନୁସାରୀ
ପାରୁଛି ସଂଶୋଧନ କରି
ଥିଲେ ହେଁ ବନାନ ସାଧକ
ପ୍ରୟୋଗ ହୋଇନି ବ୍ୟାପକ
‘ ଚଳାଇ ନେବାର ‘ ପ୍ରବୃତ୍ତି
କରିଚାଲିଛି ଯେତେ କ୍ଷତି
କେହି କି କରିବେ ଭରଣା
ନୁହେ କାହାକୁ ତାହା ଜଣା
ଲିପି ଶୋଧନ କାମ କରି
ମୋ ତ୍ରୁଟି ପାରୁଛିଁ ସୁଧାରି
ମୋ ପାଇଁ ଏହା ଉପକାରୀ
ତେଣୁ ମୁଁ ଯାଉନି ଓହରି
Comments are closed.