ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଆୟୁଷ ଯଦି ଜଣା ନାହିଁ
ବୟସ ଗଣିବି କିପାଇଁ
ତ୍ରିକାଳ ମୋଠାରେ ମିଳିତ
ହୋଇ ତ ଅଛଂତି ଜୀବିତ
କେବେ ମୁଁ ଯାହା ଭାବୁଥିଲି
ଏବେ ତା ସତେ ହୋଇଗଲି
କିଛି ତ ଯାଇନି ବଦଳି
ସ୍ବଦେହ ଅଛି ଆଗ ଭଳି
ଭାଟକୁ କହିଲି ମୁଁ ‘ ଭାଗ୍
ନିଜ କାମରେ ନିଜେ ଲାଗ୍
ଲୋଡ଼ିନି କେବେ ବି ପ୍ରଶଂସା
କିଆଁ କରୁଛୁ ଲୋକହସା ? ‘
ଦ୍ବିବିଧ ସବୁ କିଛି ଏଠି
କାଳ ନିମଂତେ ଖଟି ବେଠି
କରଂତି ଦ୍ବିମୁଖୀ ବିଚାର
ପ୍ରଜ୍ଞା ଉପରେ ଅତ୍ୟାଚାର
‘ ହଁ ‘ କି ‘ ନା ‘ କହିବାକୁ ହେଲେ
ମୋହର ସାମର୍ଥ୍ୟ ଦୋହଲେ
ନିଜେ ହୋଇଲେ ନିଜ ଭଳି
ଖେଳିବିନାହିଁ ଆଉ ଦୋଳି
କରିନି କାଳର କଳନା
କଥା କି କାମରେ ଛଳନା
ଯାହା ମିଳିଛି ତାହା ଲୋଡ଼ା
ଥିଲା, ଭାବିଲେ ଲାଗେ କଡ଼ା
ଯେ ବୁଝି ମୋର ପ୍ରୟୋଜନ
ମୋ ଦେହେ ଭରିଛି ଜୀବନ
ତାହାକୁ ଏଯାଏଁ ଦେଖିନି
ତା ପାଇଁ କିଛି ବି ଲେଖିନି
ଦୈବାତ୍ ଅବା ଦୈବକୃତ
ତାହା ରହିଛି ଅଜାଣତ
ଜାଣିଲେ ସୁଦ୍ଧା ନାହିଁ ହିତ
ରହିଛିଁ ନିଜର ସହିତ
Comments are closed.