Latest Odisha News

ଭାଷା ଭାଗବତ : କଥାଖୋର୍‌ ଜାତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ 

ସ୍ବାର୍ଥ-ଅଠାରେ ଯାହା ଯୋଡ଼ା
ଭାଂଗିଲେ ହୁଏନି ସଜଡ଼ା
ଛିଡ଼ିଗଲେ ବଂଧନ ଡୋର
କୁଟୁଂବ ହୁଏ ବାର ଦ୍ବାର

ସୁଯୋଗ ଉଂଡୁଥିବା ଦଳ
ବିରୋଧ କରଂତି ପ୍ରବଳ
ଥରଟେ ଚାଖିଲେ କ୍ଷମତା
ହରାଂତି ବୁଦ୍ଧି, ଜ୍ଞାନବତ୍ତା

ଶାସକ, ବିରୋଧୀ ମଧ୍ୟରେ
ପାର୍ଥକ୍ଯ ଦିଶେନାହିଁ ଥରେ
ଉଭୟେ କ୍ଷମତା ଲାଳସୀ
ହୁଅଂତି ଅଳ୍ପ କିଂବା ବେଶି

କ୍ଷମତା ନ କଲେ ପ୍ରୟୋଗ
ହଟେନି କୌଣସି ଦୁର୍ଯୋଗ
ଏହା ହିଁ ପ୍ରଧାନ କାରଣ
ସମସ୍ୟା ରହେ ଚିରଦିନ

କେହି ବି ବିକଳ୍ପ ପ୍ରସ୍ତାବ
କିଆଁ ଦିଅଂତିନାହିଁ, ଭାବ
ସବୁ କଥା ପାରିବ ଜାଣି
ଶୁଣୁଛ କେବଳ କାହାଣୀ

ଆମେ ତ କଥାଖୋର୍‌ ଜାତି
ଲାଭ ନ ପାଇ, କରୁଁ କ୍ଷତି
କିପରି ଘଟିବ ଉନ୍ନତି
ବୁଝିପାରେନି ମୋର ମତି

କରଂତୁ ଯେ ଯେତେ କଟାକ୍ଷ
ରାଜନୀତିର ମୂଳ ଲକ୍ଷ୍ୟ
ସର୍ବଦା ନିଜ ସ୍ଥିତି ରକ୍ଷା
ପାଇଁ କରଂତି ମତ ଭିକ୍ଷା

ରାଷ୍ଟ୍ର ଚଳଇ ନିଜ ବାଟେ
କାହାକୁ କିଛି ବି ନ କାଟେ
ଯେ ନୁହେ ଅତ୍ୟଂତ ନିର୍ଲଜ୍ଜ
କରିପାରେନି ଏହି କାର୍ଯ

ସ୍ବଭାଷାର ଲେଖକଗଣ
ନ ହୋଇ ଯଶପରାୟଣ
କରିଲେ ନିଶ୍ଛଳ ସାଧନା
କିଛି ବି ହେବନାହିଁ ଊଣା

Comments are closed.