ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ମତ ତ ମତ ହୋଇ ରହେ
କାଳେ ତା ସତେ ସତ ହୁଏ
ମତ ତ ବୌଦ୍ଧିକ ବିଚାର
ସଦା ହୁଏନି କାର୍ଯକର
କାର୍ଯ ଯୋଗୁଁ ହିଁ ଚଳେ ବିଶ୍ବ
କାର୍ଯ ନ କଲେ ସର୍ବେ ନିଃସ୍ବ
ଏହି ନିୟମ ସ୍ବାଭାବିକ
କେ ନୁହେ ବିଶ୍ବର ନାୟକ
ମତ, ମଂତବ୍ୟ ଓ ବିବୃତି
ଦେବା କାମରେ ଥିଲେ ମାତି
ଚିଂତନ ହୁଏ ବାଧାପ୍ରାପ୍ତ
ମନନ ହୁଅଇ ସମାପ୍ତ
ଦୀର୍ଘକାଳ ଏକାଗ୍ର ଧ୍ୟାନ
କଲେ ସୁସ୍ଥିର ହୁଏ ମନ
ତହିଁରୁ ତତ୍ତ୍ବ ହେଲେ ଜାତ
ବିଶ୍ବ ହୁଅଇ ଉପକୃତ
ଅବଶ୍ୟ ତତ୍ତ୍ବକୁ ପ୍ରୟୋଗ
ନ କଲେ ଫିଟେନାହିଁ ଭାଗ୍ୟ
ଏହା ତ ସର୍ବଜଣା କଥା
କେବେ ବି ହୋଇନି ଅନ୍ୟଥା
ତୁରଂତ ପ୍ରତିକ୍ରିୟା ଦେଇ
ଯିଏ ବି ପାରେ ସୁଖ ପାଇ
ଏହା ହୁଏ ତା ନିତ୍ୟକର୍ମ
ମନରେ ପୂରାଏ ବିଭ୍ରମ
ଅଳ୍ପ ସୁଖ, ସଂତୋଷ ପାଇଁ
ନିଜେ ଯାଂତ୍ରିକ ହୋଇଯାଇ
କରେ ସେ ମତ ଉତ୍ପାଦନ
ପ୍ରତି ବିଷୟେ ପ୍ରତି ଦିନ
ବୋଲାଇଲେ ହେଁ ବୁଦ୍ଧିଆଳ
ଚାତୁରୀ ହୁଏ ତା ସଂବଳ
ମିଳେନି ଇଚ୍ଛିତ ସୁଫଳ
କେବଳ ସରେ ବେଳ, ବଳ
ବୈପରୀତ୍ୟର ସମାହାର
ଅଟଇ ଏ ସାରା ସଂସାର
ସବୁ କିଛି ତ ଅଯୌକ୍ତିକ
ବୁଝଂତି ସାଧାରଣ ଲୋକ
ଅଧିକ ଯୁକ୍ତିପରାୟଣ
ହେବା ହିଁ ଅଟେ ଅକାରଣ
ବିଶ୍ବକୁ କରିଲେ ସ୍ବୀକାର
ଜୀବନ ହୁଅଇ ସୁଂଦର
ଗଦ୍ୟ ହେଉ ଅଥବା ପଦ୍ୟ
ଭାବନା ହେଲେ ଅନବଦ୍ୟ
ଅଧିକ ନିୟମ ବିଧାନ
କରଂତି ଚିଂତାକୁ ସଂକୀର୍ଣ
ଏ କଥା କରିବା ବିଚାର
ଉଦ୍ଦେଶ୍ଯ : ଭାବନା ସଂଚାର
କିଆଁ କରିବା ପ୍ରତ୍ୟାହାର
ବ୍ୟକ୍ତିର ଏହି ଅଧିକାର ?
ସବୁ ତ ଯାଉଛି ବଦଳି
ଭାଷା ବେଳକୁ କିଆଁ କଳି ?
ପ୍ରାଚୀନପଂଥୀ ହେବା ପାଇଁ
ନିଷେଧ, ବାରଣ ତ ନାହିଁ
ବଦଳୁଁ ନିଜ ଇଚ୍ଛା ମାନି
ଭାଷା ଦୃଷ୍ଟିରୁ ହେଉଁ ଧନୀ
କେ ନୁହେ ଭାଷା ନିୟଂତ୍ରକ
ପ୍ରାଚୀନ ଅବା ଆଧୁନିକ
Comments are closed.