Latest Odisha News

BREAKING NEWS

ଭାଷା ଭାଗବତ : ଲିପି ବ୍ୟବହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ସଂସ୍କୃତ ଭାଷା ସଂଶ୍ଳେଷକ
ଓଡ଼ିଆ ଭାଷା ସାଂକେତିକ
ହେବାରୁ ମୌଳିକ ପାର୍ଥକ୍ଯ
ରହିଛି, କରୁଁ ଏବେ ଲକ୍ଷ୍ୟ

ସଂଧି ସମାସ ସୂତ୍ରାବଳି
ଘଟିତ ବହୁ ଶବ୍ଦ ଚଳି
ପଦକୁ କରିଲେ ସଂକ୍ଷିପ୍ତ
ସଂସ୍କୃତ ହେଲା ସମାଦୃତ

ସଙ୍‌କ୍ଷିପ୍‌ତ ରୂପ ବିଶ୍ଳେଷିତ
ସଙ୍କ୍ଷିପ୍ତ ରୂପ ସଂଶ୍ଳେଷିତ
ସଂକ୍ଷିପ୍ତ ରୂପ ସାଂକେତିକ
ଲେଖଂତି ଏବର ଲେଖକ

ଶଙ୍‌କର, ଶଙ୍କର, ଶଂକର
ହେଲେ ହେଁ ତିନି ପ୍ରକାରର
କେଉଁଟି କରିବା ସ୍ବୀକାର
ଏବେ ହିଁ କରୁଁ ତାହା ସ୍ଥିର

ସଙ୍‌ଖ୍‌ୟକ, ସଙ୍ଖ୍ୟକ, ସଂଖ୍ୟକ
ତିନି ହେଁ ସତେ ସମାର୍ଥକ
କେଉଁଟି ପାଇଛି ଆଦର ?
ଏବେ ହିଁ କରୁଁ ଆବିଷ୍କାର

ପ୍ରୀତି ତ ହୋଇଛି ପୀରତି
ଶକ୍ତି ବି ହୋଇଛି ଶକତି
ତେବେ ବି ବିଜ୍ଞଜନ ମତି
ଛାଡ଼ିଦେଉନି ପୂର୍ବ ରୀତି

ଉଦ୍ଘାଟନ କି ଉଦ୍‌ଘାଟନ
ଉଦ୍ଭାବନ କି ଉଦ୍‌ଭାବନ
ଯେଉଁଟି ସରଳ ସୁଂଦର
କରିବା ନିଶ୍ଚୟ ସ୍ବୀକାର

ଯେତେ ଧ୍ବନି କରୁଁ ବାହାର
ତହିଁରୁ ଅଧିକ ଅକ୍ଷର
ଥିବାରୁ ଲିପିରେ ଆମର
କମୁଛି ତା’ର ବ୍ୟବହାର

ଓଡ଼ିଆ ଭାଷା ଲେଖିବାକୁ
ଡର ଯେ ଲାଗେ ଓଡ଼ିଆଂକୁ
ଏହା ହେଲେ ହେଁ ପୂରା ସତ
କିପାଇଁ ହେଉନି ସ୍ବୀକୃତ?

ସ୍ବଲିପି ଲୋଡ଼ୁଛି ସଂସ୍କାର
ଦାବି ବି ଉଠେ ବାରଂବାର
ତେବେ ବି କିଏ ସେ ନିୟଂତା?
ଶୁଣେନି କେବେ କାହା କଥା

Leave A Reply

Your email address will not be published.