ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ବିସ୍ତାରଣ ବା ସଂକ୍ଷେପଣ
ଲେଖକେ ଯହିଁରେ ନିପୁଣ
କରଂତି ସେପରି ଲିଖନ
ଏହା ତ ସାହିତ୍ୟର ଗୁଣ
କିଏ କରଂତି ସାଂଦ୍ର ଲେଖା
କିଏ ବର୍ଣନାତ୍ମକ ଏକା
ଉଭୟେ ଭାବନା ଓ ଚିଂତା
ଆଦିକୁ ଦେଇ ବର୍ଣ-ସତ୍ତା
କରଂତି ସାହିତ୍ୟ ସଂଭବ
ବୁଝଂତି ରସିକ ପାଠକ
ସାହିତ୍ୟ ହୋଇଲେ ଭାବାର୍କ
ଅଚିରେ ହୁଅଇ ସାର୍ଥକ
ଅଲୋଡ଼ା ହୁଏ ଯଦି ବ୍ୟାଖ୍ୟା
ପାଠକ ପଢ଼ି ଏକା ଏକା
କରଇ ସାରାଂଶ ଗ୍ରହଣ
ସାହିତ୍ୟ ହୁଏନାହିଁ ମ୍ଳାନ
ଏପରି ସାହିତ୍ୟ ସର୍ଜନ
ପାଇଲେ ସମୁଚିତ ଧ୍ୟାନ
ନିଶ୍ଚୟ ମନେ ପାଏ ସ୍ଥାନ
ଭାଷା ବି ହୁଏ ବର୍ଧମାନ
ଲେଖା ହୋଇଲେ କାର୍ଯକର
ଘଟାଇଥାଏ ଭାବାଂତର
ବଦଳେନାହିଁ ବସ୍ତୁସ୍ଥିତି
ଏହା ହିଁ ଭାଷାର ପ୍ରକୃତି
ସାହିତ୍ୟ ପ୍ରତ୍ୟକ୍ଷ ପ୍ରଭାବ
ପକାଇବା ତ ଅସଂଭବ
ବଦଳାଇଲେ ମନୋଭାବ
କାମ ବି ଅତ୍ୟୁତ୍ତମ ହେବ
ସାହିତ୍ୟ ଯୋଗାଏ ପ୍ରେରଣା
ତହିଁରୁ ହୋଇ ଏକମନା
ଲୋକେ କରଂତି ଯେଉଁ କାମ
ପାଆଂତି ତା’ର ପରିଣାମ
ଆମର ବିଶାଳତା-ପ୍ରୀତି
ବହି କ୍ଷେତ୍ରେ ଜଗାଏ ଭୀତି
ବହି ହେଲେ ପ୍ରକାଂଡକାୟ
ପାଠକେ କରିଥାଂତି ଭୟ
ପୃଥୁଳକାୟ ଅଭିଧାନ
ବହି ଥାକରେ ପାଇ ସ୍ଥାନ
କରଂତି ସଧୈର୍ଯ ପ୍ରତୀକ୍ଷା
କେବେ ପାଠକେ ଦେବେ ଦେଖା
ମୋଟା ପଂଜିକା କିଣି ଆଣି
ରଖଂତି ଗୃହସ୍ଥ, ଗୃହିଣୀ
ନିଜ ନିଜର ପୂଜା ଘରେ
ପଢ଼ଂତିନାହିଁ କେବେ ଥରେ
‘ଟେଷ୍ଟ୍ପେପର୍’ ଗୋଟେ କିଣି
ଖଂଡ ଖଂଡ କରଂତି ପୁଣି
ଆମର ତରୁଣ ବିଦ୍ୟାର୍ଥୀ
ତାହା ହିଁ ହୁଏ ତାଂକ ରୀତି
ଏଠି ଅସଂଖ୍ୟ ଗ୍ରଂଥାବଳି
ପ୍ରତି ଦିନ ମାଖଂତି ଧୂଳି
କେହି ଛୁଅଂତିନାହିଁ ତାହା
ସେମିତି ହୋଇଥାଂତି ଥୁଆ
ପୃଷ୍ଠାବହୁଳ ଉପନ୍ୟାସ
ପଢ଼ିବା ନିମଂତେ ସାହସ
କାଳେ କରଂତି ଗବେଷକ
ସର୍ବଦା ନିର୍ଲିପ୍ତ ପାଠକ
ରଚନା କରିଲେ ସଂକ୍ଷିପ୍ତ
ତହିଁରେ ଭରି ସାରତତ୍ତ୍ବ
ଲେଖକ ଉପୁଜାଏ ମଂଜି
ପାଠକ ମନେ ଦିଏ ଖଂଜି
Comments are closed.