Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

କହି ନ ହେଲେ ସତ କଥା
ପାଳିପାରିବା ନିରବତା
ନିଜ ଭଳି ପାରିବା ହୋଇ
କଷ୍ଟ କି ପରିଶ୍ରମ ନାହିଁ

ସ୍ବର୍ଗ ଖୋଜିବାନାହିଁ ଦୂରେ
ତାହା ତ ଅଛି ନିଜ ଘରେ
ସ୍ବର୍ଗ ତ ଶୁଦ୍ଧ ମନୋଭାବ
ଆମର ନିତ୍ୟ ଅନୁଭବ

ସ୍ବର୍ଗ ଯେହେତୁ ନୁହେ ସ୍ଥାନ
କେଉଁଠି କରିବା ସଂଧାନ
କିପରି ହେବ ତା ସ୍ଥାପନ
କିଏ ବା କରିବ ନିର୍ମାଣ

ସତ୍ୟାନୁଭୂତି ସ୍ପୃହଣୀୟ
ସୁଗ୍ରାହ୍ୟ ଆଉ ଲୋଭନୀୟ
ତଥ୍ୟ, ସୂଚନା ବିଶ୍ଳେଷିତ
ହେଲେ ସଂଭୂତ ହୁଏ ସତ୍ୟ

ସତ୍ୟାନୁଭବ ହେଲେ ପ୍ରାପ୍ତି
ଯେ କେହି ସଂଦେହରୁ ମୁକ୍ତି
ପାଇ ଅର୍ଜନ କରେ ତୃପ୍ତି
ହୁଏ ଜଣେ ସଂତୁଷ୍ଟ ବ୍ୟକ୍ତି

ଉଦ୍‌ବେଗହୀନ ଜଣେ ଲୋକ
ଦେଖିଲେ କେବେ ସତ୍ୟାଲୋକ
ଭାଷାରେ କରି ପ୍ରକାଶିତ
ହୋଇପାରେନି ଉଲ୍ଲସିତ

ସତ୍ୟକୁ କରିଲେ ଆତ୍ମସ୍ଥ
ସଫା ସରଳ ହୁଏ ପଥ
ମଣିଷ ହୁଏ ଅଭିଯାତ୍ରୀ
ନ ଥିଲେ ସୁଦ୍ଧା ସହଯାତ୍ରୀ

ହୋଇଲେ ଥରେ ସତ୍ୟବୋଧ
ସମର୍ଥନ କିଂବା ବିରୋଧ
ହୁଅଂତି ଆପେ ମୂଲ୍ୟହୀନ
ମଣିଷ ହୁଏ ଉଦାସୀନ

ସତ୍ୟକୁ ଅଲୋଡ଼ା ପ୍ରଚାର
ନିଜକୁ ନିଜେ ତା ସଂଚାର
ଘଟଇ ଯେଣୁ ନିରଂତର
କରିହୁଏନି ଅସ୍ବୀକାର

Comments are closed.