ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଏଠାରେ କାହାକୁ ପଚାରି
କିଏ ବା କେତେ ଜାଣିପାରି
ହୋଇବ ସତରେ ନିଶ୍ଚିତ
ଏହା ତ ନୁହେ ସୁନିଶ୍ଚିତ
ଦଶ ବହିରେ ଦଶ କଥା
ପଢ଼ିଲେ ଘୂରିଯାଏ ମଥା
ପ୍ରତ୍ୟେକେ ଭିନ୍ନ ଭିନ୍ନ ମତ
କରିଥାଆଂତି ପ୍ରକାଶିତ
ତେଣୁ ତ ଜିଜ୍ଞାସୁର ମନ
ପାଇ ନ ପାରି ଶୁଦ୍ଧ ଜ୍ଞାନ
କରଇ ମତକୁ ଆଶ୍ରୟ
ଏ ସ୍ଥିତି ନୁହେ ଶୋଭନୀୟ
ଚଳିଲେ ମତର ସଂଘର୍ଷ
ସବୁ ମତ ହୁଅଂତି ଧ୍ବଂସ
ତଥ୍ୟ କରିଲେ ସଂଚୟନ
ମିଳଇ ସୁବିମଳ ଜ୍ଞାନ
ତଥ୍ୟ-ଆଶ୍ରୟୀ ସତ୍ୟ ବାଣୀ
ନୁହଇ କଳ୍ପିତ କାହାଣୀ
ତେଣୁ ହୁଏ ଭରସାଯୋଗ୍ୟ
ବଢ଼ାଏ ଭାଷା ଅନୁରାଗ
ଡକ୍ଟର୍ ସଂକ୍ଷେପରେ *ଡ.*
ମିସ୍ଟର୍ ସଂକ୍ଷେପରେ *ମି.*
ନ ଲେଖି, ଲେଖଂତି *ଡଃ* ଓ *ମିଃ*
କିପାଇଁ ଦେବେ କି ବୁଝାଇ ?
‘ଇମୋଜି’ ଅକ୍ଷର-ସଂହାରୀ
ନୁହଂତି ସତେ ଦରକାରୀ
ଲେଖକେ ଲେଖଂତୁ ଅକ୍ଷର
ତାଂକ ପାଇଁ ଅଲୋଡ଼ା ଚିତ୍ର
ଭକ୍ତିର ବ୍ୟାପାରୀକରଣ
ହେଲାଣି ଏବେ ସର୍ବେ ଜାଣ
କିଏ ବିକ୍ରେତା କିଏ କ୍ରେତା
କରୁଁ ନିଶ୍ଚୟ ଥରେ ଚିଂତା
ଭାଷା ବି ହେଲାଣି ବେଉସା
ଅନେକଂକର ମୁଖ୍ୟ ପେସା
କରି ଲିଖନ, ପ୍ରକାଶନ
କରଂତି ନିତ୍ୟ ଉପାର୍ଜନ
ସାହିତ୍ୟ ହେଲାଣି ବେପାର
ସଂବର୍ଧନା ଓ ପୁରସ୍କାର
ହେଉଛି ବିକା ଆଉ କିଣା
ଏହା ତ ନୁହଇ ଅଜଣା
ଭାଷାଭକ୍ତ ସାହିତ୍ୟକାର
ନିଜକୁ ନ କଲେ ନିର୍ଭର
ଅବଶ୍ୟ ହୁଏ ପରାଶ୍ରୟୀ
ଚଳିତ ରୀତି ଅନୁଯାୟୀ
ପୁରସ୍କୃତ, ଅପୁରସ୍କୃତ
ଦୁଇ ଗୋଷ୍ଠୀରେ ବିଭାଜିତ
ହେବାରୁ ସାହିତ୍ୟ ସାଧକ
ଉଭୟେ ଭାଷାର ବାଧକ
କଳା କ୍ଷେତ୍ରରେ ଅବ୍ୟବସ୍ଥା
ଲାଗିରହିଲେ ସୁଦ୍ଧା ଚିଂତା
କରିବା ଭଳି ଜଣେ କେହି
ଏଠି ଆଉ ମିଳଂତିନାହିଁ
ବୟସ ତ ଗୋଟିଏ ସଂଖ୍ୟା
କରିନି କେବେ ବି ସମୀକ୍ଷା
ପ୍ରତିଦିନ ଦିଏଁ ମୁଁ ପରୀଷା
ଜ୍ଞାନାର୍ଜନ ହିଁ ମୂଳ ଦୀକ୍ଷା
ସାର୍ଥକ କିଂବା ନିରର୍ଥକ
ଭାଷୀଏ ତା’ର ନିର୍ଣାୟକ
ଗୋଟିଏ କାମ ଦେଲେ ସାରି
ଆଉ ଗୋଟିଏ କାମ କରି
ଗୁଂଥୁଛିଁ ଯେଣୁ ଶବ୍ଦମାଳା
କରିପାରୁନି ତିଳେ ହେଳା
ପ୍ରଫଲ୍ଲ କୁମାର ତ୍ରିପାଠୀ
Comments are closed.