ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଶୂନ୍ୟରେ ବାଣୀ ହୋଇ ଜାତ
ହୁଏ ଶୂନ୍ୟରେ ସମାହିତ
ତା’ର କ୍ଷଣିକ ଅବସ୍ଥାନ
ହୁଏ ଅତି ତାତ୍ପର୍ଯପୂର୍ଣ
ପାଟିରୁ ଖସି ଶବ୍ଦମାନ
ହୋଇପାରଂତି ବହୁଗୁଣ
ଅନେକେ ରଖଂତି ସ୍ମରଣ
ସଂଭବ ନୁହେ ବିଲୋପନ
ମନେ ସାଇତି ନୀତିବାଣୀ
କେହି କେବେ ହୁଏନି ଜ୍ଞାନୀ
ନ କଲେ ଜ୍ଞାନର ପ୍ରୟୋଗ
ମିଳେନି କେବେ ବି ସୁଯୋଗ
କଲେ ଜ୍ଞାନର ରୂପାଂତର
କାର୍ଯକୁ କରିଲେ ସ୍ବୀକାର
ମିଳଇ ହିତକର ଫଳ
ତାହା ବିଶୁଦ୍ଧ ଜ୍ଞାନବଳ
ଶୂନ୍ୟରେ ଜାତ, ଶୂନ୍ୟେ ଲୀନ
ହୁଅଂତି ଯେତେ ଧ୍ବନିମାନ
ସେହି ସବୁକୁ ସଂକଳନ
କରଂତିନାହିଁ ବିଜ୍ଞଜନ
ବହୁତ ଭାବି ଆଉ ଚିଂତି
ଲେଖକେ ଯାହା ବି ଲେଖଂତି
ତା ହୁଏ ପ୍ରସାରଣକ୍ଷମ
ଉଭୟ ଅଧମ, ଉତ୍ତମ
କେବଳ ଲେଖା ହୁଏ ବୋଲି
ସମାଜେ ଗଲେ ସୁଦ୍ଧା ଚଳି
ଆପେ ହୁଏନି ସର୍ବୋତ୍କୃଷ୍ଟ
ଏ ସତ୍ୟ ଅଟେ ଅତି ସ୍ପଷ୍ଟ
ବାଗ୍ମୀଂକୁ ମିଳେ କରତାଳି
ତତ୍କାଳୀନ ସ୍ବୀକୃତି ଭଳି
ଲେଖକେ ରହିଥାଂତି ଟାକି
ପାଠକେ ବହି ପଢ଼ିବେ କି ?
ଏବେ ତ ଧ୍ବନି ସଂରକ୍ଷଣ
କରିବା ଭଳି ଯଂତ୍ରମାନ
ହୋଇଥିଲେ ହେଁ ଉଦ୍ଭାବିତ
ଧ୍ବନି ତ ହୁଏନି ସାହିତ୍ୟ !
Comments are closed.