ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଗୁରୁ ସହଜେ ନ ମିଳଂତି
ତେଣୁ ତ ବ୍ୟାପୁଥାଏ ଭ୍ରାଂତି
ସବୁବେଳେ ଅଂଧାର ରାତି
ଦିଶେନି ଉଜ୍ଜ୍ବଳ ପାହାଂତି
ନିଜକୁ ନିଜେ ସଦା ଜଗି
ହୋଇବା ଶାଂତି ଉପଭୋଗୀ
ନ ହୋଇ ସୁଦ୍ଧା ବିଶ୍ୱତ୍ୟାଗୀ
ହୋଇବା ଜୀବନ ସରାଗୀ
ଅତି ଅଧିକ ଆନୁଗତ୍ୟ
ବ୍ୟକ୍ତିକୁ କରିଦିଏ ଭୃତ୍ୟ
ସତ୍ୟ ଓ ଅସତ୍ୟ ନିର୍ଣୟ
କରୁ କରୁ ସମୟ କ୍ଷୟ
ନିର୍ଦେଶିତ ପଥରେ ସୁଦ୍ଧା
ପଡ଼େ ଅନେକ ବିଘ୍ନ, ବାଧା
ମାର୍ଗ ନୁହେ ସରଳରେଖା
ବହୁ ବାଂକ ଦିଅଂତି ଦେଖା
ଗୁରୁଂକ ଦର୍ଶନ ସ୍ବୀକାର
କରି ହୋଇଲେ ଅଗ୍ରସର
ପଥର ଉଠାଣି, ଗଡ଼ାଣି
ଦୁଃଖ, ସୁଖ ହୁଏନି ଜାଣି
ଲକ୍ଷ୍ୟ ଆଡ଼କୁ କଲେ ଗତି
ବାଟରେ ଅନେକ ବିପତ୍ତି
ପ୍ରାୟତଃ ଦେଇଥାଂତି ଦେଖା
ପଥିକ ଚାଲେ ଏକା ଏକା
ସ୍ଥିର ରଖିଲେ ନିଜ ଚିତ୍ତ
ଯାତ୍ରୀକୁ ମିଳିଥାଏ ହିତ
ଯା’ ମନ କଳ୍ପନା-ରହିତ
ସେ ରହେ ସତ୍ୟର ସହିତ
ଗୁରୁ ନୁହଂତି କୃପା-ଦାନୀ
ସିଏ ତ ଶୁଦ୍ଧ ଗୁଣୀ, ଜ୍ଞାନୀ
ଜ୍ଞାନ କରଂତି ହସ୍ତାଂତର
ତାହା ହିଁ କରିବା ସ୍ବୀକାର
ଶୁଦ୍ଧ ଜ୍ଞାନ ଆଶ୍ରିତ ହୋଇ
ଏହି ସଂସାରେ ହୁଏ ରହି
ତେଣୁ ନ ହୋଇ ବିଚଳିତ
ଏକାଗ୍ର କରୁଁ ନିଜ ଚିତ୍ତ
Comments are closed.