ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ବଂଟନ ପୂର୍ବରୁ ଲୁଂଠନ
କରଂତି ଯେତେକ ଦୁର୍ଜନ
ତାଂକୁ କେବେ ବି ପ୍ରଶାସନ
କରିପାରେନି ଶାସ୍ତି ଦାନ
ପ୍ରାଶାସନିକ ଶିଥିଳତା
ସହିତ ନ୍ୟାୟର ଧୀରତା
କରିଛି ଯେପରି ଅବସ୍ଥା
ତାହା ଦେଖି ଘୂରୁଛି ମଥା
ପରିବହନକାରୀ ଚୋରି
କରିଲେ ହୁଏନାହିଁ ଧରି
ତାହାକୁ ସର୍ବେ ଡରି ଡରି
ଚଳଂତି ଏ ସବୁ ସ୍ବୀକାରି
ଦସ୍ୟୁ ଗଳାରେ ଫୁଲମାଳ
ଦିଶଇ ଅତ୍ୟଂତ ଉଜ୍ଜ୍ବଳ
ଏହା ହେଲାଣି ନିତ୍ୟ ଦୃଶ୍ୟ
କେହି ନ ଖୋଜଂତି ରହସ୍ୟ
ଯାହା ବି ଯେଉଁପରି ହେଉ
ନିରବ ହୋଇ ସବୁ ସହୁଁ
ଅଥବା ମୁହଁ ମୋଡ଼ିଦେଉଁ
ଯେତେବେଳ ପାରିବା ରହୁଁ
ଆମେ ନଗଣ୍ୟ ନର, ନାରୀ
କିଛି ତ ପାରୁନାହିଁ କରି
କ୍ରମେ କ୍ରମେ ଯାଉଛୁଁ ସରି
ପ୍ରତ୍ୟେକ ସମରରେ ହାରି
ସର୍ବେ ସୀମିତ ଜ୍ଞାନଧାରୀ
ଅଟୁଁ, ସଂସାର ହେଉଁ ପାରି
ଏହା ତ ଚିରଂତନ ରୀତି
କାହାକୁ ମିଳେନାହିଁ ମୁକ୍ତି
ଦିଶୁଛି ଯାହା ବି ସର୍ବତ୍ର
ତାହା ତ ଡାଳ ଆଉ ପତ୍ର
ବିଷବୃକ୍ଷର ମୂଳ ଚେର
ଭେଦିଛି ଭୂଲୋକ ଭିତର
ଏହି ଚେରର ଉତ୍ପାଟନ
ଆଡ଼କୁ ଦେଉଁନାହୁଁ ମନ
ତେଣୁ ତ ନୈତିକ ସ୍ଖଳନ
ଘଟେ ବିଶ୍ବରେ ପୁନଃ ପୁନଃ
Comments are closed.