ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
କେ କଲେ ସମ୍ମାନ ଜ୍ଞାପନ
ପ୍ରସନ୍ନ ହୁଏ ଯା’ର ମନ
ସରିନି ତାହାର ଶୈଶବ
ଏହା ହିଁ ବୁଝିବାକୁ ହେବ
ନିଜ ସ୍ବାର୍ଥ ସାଧନ ପାଇଁ
ସେଠୁ ଏଠାକୁ ଆସି, ଯାଇ
ବଢ଼ିଲେ ସଂପର୍କ ପରିଧି
ଚେତନା ହୋଇଯାଏ ବାଂଧି
ଶ୍ରୋତାଂକୁ କରିବାକୁ ତୁଷ୍ଟ
ଯିଏ କରେ ସମୟ ନଷ୍ଟ
ପାଏ ପ୍ରତ୍ୟକ୍ଷ କରତାଳି
କିଂତୁ ପରୋକ୍ଷ ନାନା ଗାଳି
ଗୋଟେ ସ୍ଥାନରେ ରହି ଲାଖି
ଯେ ପାରେନାହିଁ ପଢ଼ି, ଲେଖି
ତାହାର ଗମନାଗମନ
କରେନି ମେଧା ଉନ୍ନୟନ
ଲେଖକ ନୁହେ ଫେରିବାଲା
ଅତି ଅଧିକ ସଭା ବୁଲା
ଭାଂଗିଦିଏ କର୍ତବ୍ୟନିଷ୍ଠା
ଅଫଳପ୍ରସୂ ହୁଏ ଚେଷ୍ଟା
‘ସଭାରେ ବସିଥିଲେ’ ବୋଲି
ଖବର ପ୍ରକାଶରେ ଭଳି
ଯେ ହୁଏ ମିଛେ ଉଲ୍ଲସିତ
ତା ଲେଖା ହୁଏନି ପଠିତ
ଶ୍ରୁତିଯୁଗକୁ ଅତିକ୍ରମ
କରିବା ଭଳି ଏକ କାମ
ଆଡ଼କୁ ଢଳେନାହିଁ ମନ
ଏମିତି ଲେଖକ ଜୀବନ
ନିଜକୁ ନିଜେ ଗଢ଼େ ଯିଏ
ତା ପରିବାର ଗଢ଼ିହୁଏ
ପରିବାରଟେ ଗଢ଼ିଦେଲେ
ସମାଜ ଗଢ଼ାହୋଇ ଚଳେ
ବ୍ୟକ୍ତି ତ ସମାଜର ଅଂଶ
ବ୍ୟକ୍ତି ନ ହେବା ଯାଏଁ ଧ୍ବଂସ
ସମାଜ ଗଢ଼ିହୁଏ ଆପେ
ପ୍ରତ୍ୟହ ଅଭିନବ ରୂପେ
ବ୍ୟକ୍ତି ନିଜକୁ ଦେଲେ ଧ୍ୟାନ
ଉନ୍ନତ ସମାଜ ଗଠନ
ପ୍ରାୟତଃ ହୁଏ ସ୍ବୟଂକ୍ରିୟ
ମନେ ରହେନି ତିଳେ ଭୟ
‘ସଂଘରେ ନ ହେଲେ ବି ଯୋଡ଼ି
ନିଜ ବ୍ୟକ୍ତିତ୍ୱ ହୁଏ ଗଢ଼ି’
ଏହି ବିଶ୍ବାସଧାରୀ ମନ
ନିଜର କୃତି କରେ ଦାନ
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.