Latest Odisha News

BREAKING NEWS

ଭାଷା ଭାଗବତ : ବିକଳ୍ପ ସଂଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଦଳ ସହିତ କରି ସଂଧି

ଯେ ହୁଏ ଲୋକ ପ୍ରତିନିଧି

ସେ ହୁଏନାହିଁ ଗଣସ୍ବର

ଚଳେ ଏପରି ଗଣତଂତ୍ର

 

ଲୋକଂକ ପୀଡ଼ା ଆଉ ଦୁଃଖ

ବୁଝିପାରେନି ଯେଉଁ ଲୋକ

ହୁଏ ସେ ଖୁବ୍‌ ବଡ଼ ନେତା

ସବୁଠି ପାଳେ ନିରବତା

 

ସଂସଦ ଓ ସଭାକୁ ଯାଇ

ଯେ ପଦେ କଥା କହେନାହିଁ

ସେ ଥିବା ନ ଥିବା ସମାନ

ଲୋକମତକୁ ଅପମାନ

 

ଲୋକ-ସମସ୍ୟା ଉତ୍‌ଥାପନ

ଆଡ଼କୁ ନିଏନାହିଁ ମନ

କେବଳ ଦଳ-ଆନୁଗତ୍ୟ

ତା ପାଇଁ ହୁଏ ମୂଳ ସତ୍ୟ

 

ଏ ବଦଭ୍ୟାସ ପରଂପରା

ପାଲଟିଗଲେ ଦେଶସାରା

ଦୁଃଖୀ, ଅଭାବୀ ନାଗରିକ

ପାଲଟି ଯାଇଥାଂତି ମୂକ

 

ବ୍ୟକ୍ତିର ସ୍ପଷ୍ଟ ଅଭିବ୍ୟକ୍ତି

ମଥାରୁ ନ ପାଇଲେ ମୁକ୍ତି

ଯେତେ ହେଲେ ବି ନିର୍ବାଚନ

କେହି କି ହୁଅଂତି ସ୍ବାଧୀନ ?

 

ସର୍ବଦା କଲେ ଦେଶଚିଂତା

ଗ୍ରାମରେ ବ୍ୟାପେ ଅବ୍ୟବସ୍ଥା

ଏହା ନ ହେଲେ ବି ଅଜ୍ଞାତ

ସର୍ବଦା ଲୁଚି ରହେ ସତ

 

ସତ୍ୟ ବଚନ ପ୍ରତି ଡର

ଯାହା ମନରେ କରେ ଘର

ସେ ରହେ ସର୍ବଦା ମଉନ

ଭୋଗ, ବିଳାସେ କାଟେ ଦିନ

 

ବିକାଶ ସୁଦୂର ଦିଗଂତ

କିପରି ଯିବା ସେ ପର୍ଯଂତ

ଏହା କାହାକୁ ଜଣା ନାହିଁ

ସ୍ବସ୍ଥାନେ ଥାଉଁ ପଡ଼ିରହି

 

ଲୋକଂକ ମନ ଜାଣି ନେତା

ସଂଭାଳିଥାଂତି ଯେଣୁ ସତ୍ତା

ତହିଁର ବିକଳ୍ପ ସଂଧାନ

ଆଡ଼କୁ ଯାଏନାହିଁ ମନ

 

ଲକ୍ଷ୍ଯ ସ୍ଥଳରେ ନ ପହଂଚି

ଆମେ ସଭିଏଁ ରହୁଁ ବଂଚି

ହେଲେ ହେଁ ଏହା ବିଡ଼ଂବନା

ନେତା, ଜନତା ଏକମନା

 

ଲୋକେ ପଢ଼ିଲେ ଭାଗବତ

ନିର୍ମଳ ହେବ ତାଂକ ଚିତ୍ତ

କେହି ବି ନ ହେଲେ ବିଭ୍ରାଂତ

ହେବ ଭୂମି ଭାଷାର ହିତ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.