ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଜର ସର୍ବସ୍ବ ଅଜାଡ଼ି
ବ୍ୟକ୍ତି ହିଁ କୃତି ଥାଏ ଗଢ଼ି
ବ୍ୟକ୍ତି ତ ହୁଏ ଅଂତର୍ହିତ
କୃତି ହିଁ ସର୍ବଦା ଜୀବଂତ
ଲେଖିଲେ ଜଗନ୍ନାଥ ଦାସ
‘ ଭାଗବତ ‘ ହେଲା ଉପାସ୍ୟ
ବ୍ୟାସ ଭଣିଲେ ସୁଦ୍ଧା ‘ ଗୀତା ‘
ସର୍ବତ୍ର ହୁଏ ଉପାସିତା
ନଶ୍ବର କାୟାଧାରୀ ବ୍ୟକ୍ତି
ଲଗାଇ ନିଜ ଅଂତର୍ଶକ୍ତି
ସର୍ଜନ କରେ ଯେଉଁ କୃତି
ଘଟେନି ତାହାର ସମାପ୍ତି
କୃତିର ଆୟୁଷ ଅଧିକ
ତେଣୁ ବଢ଼ଂତି ପ୍ରଶଂସକ
ଅସଂଖ୍ୟ ପ୍ରସିଦ୍ଧ ଲୋକୋକ୍ତି
କହିଥିବେ ଅଜଣା ବ୍ୟକ୍ତି !
କୃତି ହିଁ ସମୂହ ସଂପତ୍ତି
ଚଂଚଳ ବୁଝୁ ଲୋକ-ମତି
କଲେ ବ୍ୟକ୍ତିର ଗୁଣଗାନ
ହ୍ରାସ ହୁଏ କୃତିର ମାନ
ବ୍ୟକ୍ତିର ପଦବି, କ୍ଷମତା
ଗୁରୁତ୍ବ ନ ପାଉ ଅଯଥା
କରି ତା’ କୃତି ସମୀକ୍ଷଣ
ଦିଅଂତୁ ପ୍ରଶଂସା ସମ୍ମାନ
କେହି ବି ତାଂକ ପାଖ ଲୋକ
ଅଥବା ମୁଖର ସ୍ତାବକ
ବନିବା ନୁହେ ଆବଶ୍ଯକ
ରଖିବ ସାହିତ୍ୟର ଟେକ
ଏଠି ଅନେକ ଚାଟୁକାର
କରଂତି ଯେଉଁ ବ୍ୟବହାର
ତାହା ହେଲେ ହେଁ ଲଜ୍ଜାସ୍ପଦ
ବିଲୁପ୍ତ ହେଉନି ପ୍ରମାଦ
‘ ସମ୍ମାନ ‘ ହୁଏ ଯେବେ ‘ ଅର୍ଥ ‘
ମୂଳ ଉଦ୍ଦେଶ୍ଯ ହୁଏ ବ୍ୟର୍ଥ
କବିଂକୁ କଲେ ଧନବଂତ
ସାହିତ୍ୟ ହୁଏ ହଂତସଂତ
ବଢ଼ିଲେ ବିତ୍ତର ପ୍ରାଧାନ୍ୟ
ଚିତ୍ତକୁ ମିଳେ ଅପମାନ
ପ୍ରତିଭା ହୁଏ ଉପେକ୍ଷିତ
ଏହା ହିଁ ଏ କାଳର ସତ
ସଂପାଦକ ଓ ପ୍ରକାଶକ
ହେଲେ ଭାଷାର ନିୟଂତ୍ରକ
ଆଜ୍ଞାବହ ହେଲେ ଲେଖକ
ରହେନି ସାହିତ୍ୟର ଟେକ
Comments are closed.