Latest Odisha News

BREAKING NEWS

ଅଣ ଲେଉଟା ରୁକୁଣା ରଥ

ସୁକାନ୍ତ ପଣ୍ଡାଙ୍କ ଆଲେଖ୍ୟ

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥ ରୁକୁଣା ରଥ ଭାବରେ ପ୍ରସିଦ୍ଧ। ଦୁରାଚାରୀ ରାକ୍ଷସ ତ୍ରିପୁରାସୁରକୁ ବଦ୍ଧ କରିବା ପାଇଁ ଦେବତାମାନେ ଏହି ରଥକୁ ଭଗବାନ ଶଙ୍କରଙ୍କୁ ପ୍ରଦାନ କରିଥିଲେ। ଏହା ଦେବଦଳନ ରଥ ଭାବରେ ପ୍ରସିଦ୍ଧ। ମହାଶକ୍ତି ଯୋଗମାୟା ମା’ ଦୁର୍ଗାଙ୍କ ଶକ୍ତିରେ ପରିପୂର୍ଣ୍ଣ ଏହି ରଥ ରୁକ୍ମ ରଥ । ମହାମାୟା ହେଉଛନ୍ତି ସ୍ୱର୍ଣ୍ଣବର୍ଣ୍ଣା ଏବଂ ଶକ୍ତିସ୍ୱରୁପିଣୀ ରୁକ୍ମୁଣା। କାଳକ୍ରମେ ଅପଭ୍ରଂଶ ହୋଇ ଏହା ରୁକୁଣା ରଥ ଭାବେ ନାମିତ ଅଟେ।

ରୁକୁଣା ରଥ ଯାତ୍ରାର ଅନ୍ୟତମ ବିଶେଷତ୍ୱ ହେଲା ଏ ରଥ ଅଣଲେଉଟା। ଲିଙ୍ଗରାଜ ମନ୍ଦିର ସନ୍ନିକଟ ମହାଖଳାରୁ ପଶ୍ଚିମାଭିମୁଖୀ ଭାବରେ ଯାତ୍ରା ଆରମ୍ଭ କରୁଥିବା ଏହି ରଥ ବଢେଇବାଙ୍କ ଛକରୁ ଉତ୍ତାରାଭିମୁଖୀ ହୋଇ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥାଏ। କିନ୍ତୁ ଫେରିବାବେଳେ ରଥକୁ ଦକ୍ଷିଣମୋଡ କରାଯାଇ ନଥାଏ। ହୁଏତ ସେତେବେଳେ ସେ ଅଞ୍ଚଳ ଘଞ୍ଚ ଜଙ୍ଗଲ ଓ ବିଲମାଳରେ ପରିପୂର୍ଣ୍ଣ ଥିବାରୁ ସୁବିଧା ଦୃଷ୍ଟିରୁ ରଥକୁ ସମ୍ପୂର୍ଣ୍ଣ ଭାବରେ ପଛକୁ ବୁଲା ନଯାଇ ରଥର ପୃଷ୍ଠ ଭାଗକୁ ସମ୍ମୁଖଭାବରେ ପରିଣତ କରାଯାଇଥାଏ । ରଥ ଉପରେ ଠାକୁରଙ୍କ ସିହାଂସନକୁ ଦକ୍ଷିଣାଭିମୁଖୀ କରାଯିବା ସହ କେବଳ ଅଶ୍ୱମାନଙ୍କୁ ଦକ୍ଷିଣାମୁଖ ଏବଂ ସିହାଂସନ ସମ୍ମୁଖ ଉପରିଭାଗରେ ଆସୀନ ନନ୍ଦୀଙ୍କୁ ଉତ୍ତରାମୁଖ କରାଯାଇଥାଏ। ରଥର ଅନ୍ୟ କୌଣସି ଅଂଶରେ କିଛି ପରିବର୍ତ୍ତନ ନ କରାଯାଇ ବାହୁଡା ଯାତ୍ରା ଆରମ୍ଭ କରାଯାଇଥାଏ।

ଶ୍ରୀପଞ୍ଚମୀ ଦିନ ଶ୍ରୀଲିଙ୍ଗରାଜ ମହାପ୍ରଭୁ ରଥ କାଠ ନିମନ୍ତେ ବନଯାଗ କରିବାକୁ ଅଧୁନା ଶ୍ରୀରାମ ନଗରକୁ ଯାଇ ସେଠାରେ ପୂଜାର୍ଚ୍ଚନା ପରେ ରଥ ନିମନ୍ତେ ବୃକ୍ଷ ଚିହ୍ନଟ କରିଥାନ୍ତି। ମାଘ ସପ୍ତମୀ ଦିନ ମହାପ୍ରଭୁ ଟଙ୍କପାଣି ରୋଡସ୍ଥିତ ମେଘେଶ୍ୱର ମନ୍ଦିରକୁ ଯାଇ ରଥ ମାପ ବିଧି ସମ୍ପନ୍ନ କରିଥାନ୍ତି। କିନ୍ତୁ ଏବେ ଭୁବନେଶ୍ୱର ଆଖପାଖ ଜଙ୍ଗଲଶୂନ୍ୟ ହୋଇଥିବାରୁ ପ୍ରତିବର୍ଷ ନୟାଗଡ ବନଖଣ୍ଡ ପକ୍ଷରୁ ରୁକୁଣା ରଥ ନିମନ୍ତେ କାଠ ଯୋଗାଇ ଦିଆଯାଇଥାଏ।

ରୁକୁଣା ରଥ ନିର୍ମାଣ ନିମନ୍ତେ ଆମ୍ବ, ମହି, ତେନ୍ତୁଳି, ଶାଳ ଓ ସିମିଳି ଆଦି କାଠ ବ୍ୟବହାର କରାଯାଇଥାଏ। ରଥର ଉଚ୍ଚତା ୪୫ ଫୁଟ ଓ ଚଉଡା ହେଉଛି ୨୭ ଫୁଟ। ରୁକୁଣା ରଥର ଚକ ସଂଖ୍ୟା ଚାରି। ଚକଗୁଡିକ ଶଗଡ ଚକ ପରି ନ ହୋଇ ନିଦା ଭାବରେ ନିର୍ମାଣ କରାଯାଇଥାଏ। ରଥର ଅନ୍ୟ ଭାଗଗୁଡିକ ହେଲା ଅଖ, କୁଡୁକା, ପଞ୍ଚଦଣ୍ଡା, ସପ୍ତଦଣ୍ଡା, ଓରା, ମୁହଁଆଣ୍ଟ, ଧାଡିଗୁଜ, ଘରଭଙ୍ଗା ମୁହଁଆଣ୍ଟ, ମୋତି ବାରେଣି, ଚାରି ନାହାକା, ଷୋହଳ ନାହାକା, ପ୍ରଥମ ଭୁଇଁ, ଦ୍ୱିତୀୟ ଭୁଇଁ, ପଟଳ, ୭+7 ପଟଳ, ସିହାଂସନ, ବେକି, କଳସ, ଦୁଇ ଶୁକ, ପତକା ଦଣ୍ଡ ଏବଂ ପତାକା।

ଏ ରଥର ଚକ୍ର ହେଉଛନ୍ତି ସୂର୍ଯ୍ୟ ଓ ଚନ୍ଦ୍ର। ସାରଥୀ ହେଉଛନ୍ତି ସ୍ୱୟଂ ବ୍ରହ୍ମା। ଋକ୍, ସାମ୍, ଯର୍ଜୁ ଓ ଅଥର୍ବ ଆଦି ଚାରି ବେଦ, ଚାରି ଅଶ୍ୱ ଭାବରେ ରଥକୁ ଟାଣିଥାନ୍ତି। ରଥରେ ଅଷ୍ଟଦିଗପାଳ ଷୋହଳ ଦେବୀ, ନନ୍ଦୀଭୃଙ୍ଗି ଓ ଷୋହଳ ଦେବୀ ଆଦି ରଥରେ ବିରାଜମାନ କରିଥାନ୍ତି। ସିହାଂସନରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର ରୁକୁଣା ନାମରେ ସାଧାରଣ ଭାବେ ପରିଚିତ, ମା’ ଭୁବନେଶ୍ୱରୀ (ଦୁର୍ଗା) ଏବଂ ପ୍ରଭୁ ଶ୍ରୀ ଦୋଳଗୋବିନ୍ଦ ଆସୀନ ହୋଇ ସେବାୟତ ଓ ଭକ୍ତମାନଙ୍କ ଗହଣରେ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥାନ୍ତି।

ଚୈତ୍ର ଶୁକ୍ଳ ଅଷ୍ଟମୀ, ଅଶୋକାଷ୍ଟମୀ ଭାବରେ ପ୍ରସିଦ୍ଧ। ଶ୍ରୀ ଲିଙ୍ଗରାଜଙ୍କ ଦ୍ୱିପହର ଧୂପ ପରେ ତିନି ଠାକୁରଙ୍କୁ ଲିଙ୍ଗରାଜଙ୍କ ସହ ଭେଟ ଆଳତୀ ଓ ଆଜ୍ଞାମାଳ ପରେ ନାଟମଣ୍ଡପର ଦକ୍ଷିଣ ଦ୍ୱାରରେ ବିଭୀଷଣ ଆଳତୀ, ବେଢା ପରିକ୍ରମା, ବାଇଶି ପାହାଚ ନିକଟରେ ସିଦ୍ଧି ବିନାୟକଙ୍କ ସମ୍ମୁଖରେ ନାରିକେଳ ଭଗ୍ନ ଆଦି ବିଧି ସହ ମହାପ୍ରଭୁ ପଟୁଆରରେ ରଥନିକଟକୁ ଯାଇ ରଥକୁ ସାତଥର ପରିକ୍ରମା କରିଥାନ୍ତି। ପରେ ରଥ ଉପରେ ତିନିଥର ପରିକ୍ରମା କରିବା ପରେ ସିହାଂସନରେ ବିଜେ କରିଥାନ୍ତି। ପରେ ପରେ ଚକପୂଜା, ଅଖପୂଜା, ଅଶ୍ୱପୂଜା, ଦିଗପାଳପୂଜା ଓ ଛେରା ପରେ ଅଶ୍ୱ ବନ୍ଧାଯାଇ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ।

ନେତ୍ରୋତ୍ସବ ଦିନ ରଥନିର୍ମାଣ କାର୍ଯ୍ୟ ସରିବା ପରେ ରଥର ପଛ ପଟେ ନିଶୁଣି ଲଗାଯାଇଥାଏ। ଲିଙ୍ଗରାଜ ମନ୍ଦିର ଦକ୍ଷିଣ ଘରୁ ପଞ୍ଚବତ୍ର ନିଶୁଣି ଦେଇ ରଥ ଉପରେ ଚଢି ରଥର ନିର୍ମାଣ କାର୍ଯ୍ୟ ତଦାରଖ କରିଥାନ୍ତି। ଉଲ୍ଲେଖଯୋଗ୍ୟ, ପ୍ରତିଦିନ କଳାହାଟ ଦ୍ୱାର ନିକଟରେ ଡମ୍ବରୁ ଉପରେ ପଞ୍ଚବତ୍ରଙ୍କୁ ବସାଇ ପୂଜା ଆଳତି ପରେ ମହାପ୍ରଭୁଙ୍କ ବଡସିଂହାର ନୀତି ସମ୍ପନ୍ନ ହୋଇଥାଏ। ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡରୁ ପାଣି ଅଣାଯାଇ ହୋମଯଜ୍ଞ ସହିତ ରଥପ୍ରତିଷ୍ଠା କାର୍ଯ୍ୟ କରାଯାଇଥାଏ।

ରାବଣବଧ ପରେ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇଁ ଗୁରୁ ବଶିଷ୍ଠଙ୍କ ପରାମର୍ଶରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଏକାମ୍ର କ୍ଷେତ୍ରରେ ରାମେଶ୍ୱର ଲିଙ୍ଗ ପ୍ରତିଷ୍ଠା କରିଥିଲେ। ପ୍ରଭୁ ଶ୍ରୀରାମଙ୍କୁ ଶଙ୍କର ଭଗବାନ ଦେଇଥିବା ପ୍ରତିଶୃତି ଅନୁସାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ପ୍ରତିବର୍ଷ ଶ୍ରୀରାମ ନବମୀ ପୂର୍ବ ଦିନ ଅଶୋକାଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଯାଇ ସେଠାରେ ପାଞ୍ଚଦିନ ଅବସ୍ଥାନ କରିଥାନ୍ତି। ଏହି ଯାତ୍ରାର ନାମ ପାପନାଷିନୀ ଯାତ୍ରା। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ବାର ମାସରେ ଚଉଦ ଯାତ୍ରା। ତା ମଧ୍ୟରେ ଅଶୋକାଷ୍ଟମୀ ଯାତ୍ରା ଏକ ପ୍ରମୁଖ ଯାତ୍ରା।

ରାମେଶ୍ୱର ମନ୍ଦିର ଅଧୁନା ମାଉସୀ ମା’ ମନ୍ଦିର ଭାବରେ ଅଧିକ ଜଣାଶୁଣା। କିନ୍ତୁ ମାଉସୀ ମା’ ମନ୍ଦିର ପଛରେ କୌଣସି ଦୃଢ ଯୁକ୍ତି ନାହିଁ। ଏଠାରେ ସେହି ନାମରେ କୌଣସି ମନ୍ଦିର ହିଁ ନାହିଁ। ରାମେଶ୍ୱର ମନ୍ଦିର ରେଖାଶୈଳୀରେ ନିର୍ମିତ ପ୍ରାଚୀନ ଶିବ ମନ୍ଦିର ଅଟେ। ପରବର୍ତ୍ତୀ ସମୟରେ ଉନବିଂଶ ଶତାବ୍ଦୀରେ ଗର୍ଭ ଗୃହରେ ମା’ ପାର୍ବତୀଙ୍କ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛନ୍ତି। ରାମେଶ୍ୱର ମନ୍ଦିରର ଜଗମୋହନ ନାହିଁ। ରାମେଶ୍ୱର ମହାଦେବ ପୂର୍ବାଭିମୁଖୀ ହେଇ ପୂଜିତ। ତାଙ୍କ ମନ୍ଦିର ସମ୍ମୁଖରେ ଦକ୍ଷିଣାଭିମୁଖୀ ହୋଇ ପୀଢଶୈଳୀର ଏକ କ୍ଷୁଦ୍ର ଆଡପ ମନ୍ଦିର ରହିଛି। ସେହି ମନ୍ଦିରରେ ମହାପ୍ରଭୁ ଲିଙ୍ଗରାଜ, ଦେବୀ ଭୁବନେଶ୍ୱରୀ ଓ ପ୍ରଭୁ ଦୋଳଗୋବିନ୍ଦ ଦକ୍ଷିଣାଭିମୁଖୀ ହୋଇ ପାଞ୍ଚଦିନ ଧରି ପୂଜା ପାଇଥାନ୍ତି। ଲିଙ୍ଗରାଜ ମନ୍ଦିରର ସମସ୍ତ ନୀତିକାନ୍ତି ଏଠାରେ ମଧ୍ୟ ପାଳନ କରାଯାଇଥାଏ। ଯାତ୍ରାର ତୃତୀୟ ଦିନ ଦେବୀ ପାର୍ବତୀ ନିଶାର୍ଦ୍ଧରେ ପାଲିଙ୍କୀ ଯୋଗେ ରାମେଶ୍ୱର ମନ୍ଦିରକୁ ଯାଇଥାନ୍ତି। ସେଠାରେ ମହାପ୍ରଭୁଙ୍କ ସହିତ ବଚନିକା ଓ ଆଳତୀ କରାଯାଇଥାଏ। ପରେ ଦେବୀ ସେଠାରୁ ରୁଷ୍ଟ ହୋଇ ଆସିବା ବାଟରେ ରଥର ଏକ କାଠ ଭାଙ୍ଗି ଥାନ୍ତି।

ରାମେଶ୍ୱର ପୀଠର ଆଉ ଏକ ବିଶେଷତ୍ୱ ହେଉଛି ସେଠାରେ ଥିବା ଅଶୋକ ଝର। ଏହା ଏକ ମଧ୍ୟମ ଧରଣର ଜଳାଶୟ। ବିଶ୍ୱାସ ଅଛି ଅଶୋକାଷ୍ଟମୀ ଦିନ ଏଠାରେ ସ୍ନାନ କରି ଆଠ ଗୋଟି ଅଶୋକା କଳିକା ପ୍ରଭୁଙ୍କୁ ଅର୍ପଣ କରି ପାନ କଲେ ସମସ୍ତ ଶୋକ ନାଶ ହୋଇଥାଏ। ଏକାମ୍ର କ୍ଷେତ୍ରର ମହତ୍ୱ ବୃଦ୍ଧି କରିଥିବା ଅଷ୍ଟ ତୀର୍ଥମାନଙ୍କ ମଧ୍ୟରେ ଅଶୋକ ଝର ଅନ୍ୟତମ। ଅଷ୍ଟ ତୀର୍ଥ ହେଲା – ୧. ପାପନାଶିନୀ, ୨.ବିନ୍ଦୁସାଗର, ୩. ଗଙ୍ଗେଶ୍ୱର ବା ଗଙ୍ଗାଯମୁନା, ୪. କୋଟିତୀର୍ଥ, ୫. ବ୍ରହ୍ମେଶ୍ୱର ବା ବ୍ରହ୍ମତୀର୍ଥ, ୬. ମେଘେଶ୍ୱର ବା ମେଘତୀର୍ଥ, ୭. ଅଲାବୁକେଶ୍ୱର (ନାଗେଶ୍ୱର), ୮. ରାମେଶ୍ୱର।

ବାହୁଡା ଦିନ ରାମେଶ୍ୱରଙ୍କ ସହ ଭେଟ ଆଳତୀ ଏବଂ ପରେ ପରେ ଦକ୍ଷିଣାଭିମୁଖୀ ହୋଇ ବିଭୀଷଣ ଆଳତୀ ପରେ ମହାପ୍ରଭୁ ଯାତ୍ରା ଆରମ୍ଭ କରିଥାନ୍ତି। ଉଭୟ ଅଶୋକାଷ୍ଟମୀ ଓ ବାହୁଡା ଦିନ ଅସୁରକିଆରୀ ନିକଟରେ ମହାପ୍ରଭୁଙ୍କୁ ପଣା ଭୋଗ କରାଯାଇ ପଣାକୁ ଅସୁରମାନଙ୍କ ପାଇଁ ରଥ ଉପରେ ଭଙ୍ଗା ଯାଇଥାଏ। କପାଳୀ ମଠ ଠାରେ ରଥ ପହଞ୍ଚିବା ପରେ ମା’ ପାର୍ବତୀ ପଟୁଆରରେ ରଥ ନିକଟକୁ ଆସିଥାନ୍ତି ଏବଂ ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥ ପ୍ରଦକ୍ଷଣ କରି ମନ୍ଦିରକୁ ଫେରିଯାଇ ଚାହାଣୀ ମଣ୍ଡପରେ ଉପବେସନ କରନ୍ତି। ମହାପ୍ରଭୁ ସ୍ୱର୍ଣ୍ଣାଦୀ ବିଜେ କଲା ପର୍ଯ୍ୟନ୍ତ ମା’ ପାର୍ବତୀ ଚାହାଣୀ ମଣ୍ଡପରେ ହିଁ ବସି ରହିଥାନ୍ତି। ସେହିଠାରେ ହିଁ ତାଙ୍କର ସମସ୍ତ ନୀତିକାନ୍ତି କରାଯାଇଥାଏ। ମହାପ୍ରଭୁ ରଥରୁ ଓହ୍ଲାଇ ମନ୍ଦିର ପ୍ରବେଶ କରିବା ସମୟରେ ଦେବୀ ଗର୍ଭ ଗୃହର ଦ୍ୱାର ଭିତରପଟୁ ରୁଦ୍ଧ କରିଥାନ୍ତି। ଶିବପାର୍ବତୀଙ୍କ ବଚନିକା ସମୟରେ ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ସହ ଯାତ୍ରା କରିବାର ପ୍ରତିଶୃତି ପାଇ ଦେବୀ ଦ୍ୱାର ଖୋଲିଥାନ୍ତି। ଭେଟ ଆଳତୀ ପରେ ରୁକୁଣା ରଥଯାତ୍ରା ଶେଷ ହୋଇଥାଏ।

ସୁକାନ୍ତ ପଣ୍ଡା

୯୪୩୭୦୩୭୬୦୦

Leave A Reply

Your email address will not be published.